ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦
କଲମ୍ବୋ : ଭାରତୀୟ କ୍ରିକେଟ୍ ଦଳର ସଦସ୍ୟ କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ୍କୁ ଗୋଟିଏ ଦିନ ପାଇଁ ଘୁଂଚାଇ ଦିଆଯାଇଛି । ଫଳରେ ମଙ୍ଗଳବାର ହେବାକୁ ଥିବା ମ୍ୟାଚ୍ ବୁଧବାର ରାତି ୮ଟାରେ ଅନୁଷ୍ଠିତ ହେବ ଏବଂ ତୃତୀୟ ଟି-୨୦ ପୂର୍ବପରି ଗୁରୁବାର ଦିନ ହେବ । ଅର୍ଥାତ୍ ଦୁଇଟି ମ୍ୟାଚ୍ ଲଗାତାର ଦୁଇଦିନ ଧରି ଅନୁଷ୍ଠିତ ହେବ । ମଙ୍ଗଳବାର ହେବାକୁ ଥିବା ମ୍ୟାଚ୍ ପାଇଁ ଦୁଇ ଦଳର ଖେଳାଳିମାନଙ୍କ ଆଂଟିଜେନ୍ ଟେଷ୍ଟ କରାଯାଉ ଥିବାବେଳେ କ୍ରୁନାଲ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏହାପରେ ଦୁଇ ଦଳର ଖେଳାଳିମାନଙ୍କୁ ଏକାନ୍ତବାସରେ ରଖାଯାଇ ସମସ୍ତଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଉଛି । କ୍ରୁନାଲଙ୍କ ସଂସ୍ପର୍ଶରେ ଅତି କମ୍ରେ ୮ଜଣ ଖେଳାଳି ଆସିଥିବା ଜଣାପଡ଼ିଛି । ଉକ୍ତ ୮ ଜଣଙ୍କୁ ସେମାନଙ୍କ ହୋଟେଲ କୋଠରୀରେ ଏକାନ୍ତବାସରେ ରହିବାକୁ କୁହାଯାଇଛି। ସେମାନଙ୍କ ନାମ ପ୍ରକାଣ କରା ଯାଇନଥିଲେ ହେଁ କୁହାଯାଇଛି ଯେ ଅଧିକାଂଶ ହେଉଛନ୍ତି ଖେଳାଳି।
କୃଣାଳ ପାଣ୍ଡାଙ୍କ ସ୍ଥାନ ନେବା ପାଇଁ ଦଳରେ ଏକାଧିକ ଖେଳାଳି ପ୍ରସ୍ତୁତ ଅଛନ୍ତି । ନିତୀଶ ରାଣା, କୃଷ୍ଣପା ଗୌତମ ଓ ରାହୁଲ ଚହରଙ୍କ ମଧ୍ୟରୁ କେହି ଜଣେ କୃଣାଳ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି । ମାତ୍ର କୃଷ୍ଣପ୍ପା ଖେଳିବାର ଅଧିକ ସମ୍ଭାବନା ରହୁଛି । ସୂଚନାଯୋଗ୍ୟ, କୃଷ୍ଣପ୍ପା ସ୍ପିନ ବୋଲିଂ କରିବା ସହିତ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରନ୍ତି । ତେଣୁ ତାଙ୍କୁ ଆଜିର ମ୍ୟାଚରେ ଭାରତୀୟ ଚୟନକର୍ତ୍ତା ସୁଯୋଗ ଦେଇପାରନ୍ତି । କୋଚ ରାହୁଲ ଦ୍ରାବିଡ଼ ଆଜି ମ୍ୟାଚ ପୂର୍ବରୁ ଦେବଦତ୍ତ ପଡ଼ିକ୍କଲଙ୍କୁ ସୁଯୋଗ ଦେଇପାରନ୍ତି । ପଡିକ୍କଲ ଆଇପିଏଲରେ ବିରାଟ କୋହଲିଙ୍କ ଟିମ ଆରସିବି ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ଦିନିକିଆ ଶୃଙ୍ଖଳାରେ ତାଙ୍କୁ ସୁଯୋଗ ମିଳିପାରି ନାହିଁ । ତେଣୁ ଆଜି ତାଙ୍କୁ ଟି-୨୦ରେ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ । ଇଶନ କିଶନ ଏବଂ ସଂଜୁ ସାମସନଙ୍କୁ ପୁଣି ଥରେ ଅନ୍ତିମ ଏକାଦଶରେ ସ୍ଥାନ ମିଳିପାରେ । ମନୀଷ ପାଣ୍ଡେଙ୍କୁ ମଧ୍ୟକ୍ରମରେ ଆଜି ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ମିଳିପାରେ । ସୂଚନାଯୋଗ୍ୟ, ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଟିମ ଚଳିତ ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ଆଜିର ମ୍ୟାଚ ଜିିତିବା ପାଇଁ ଶତପ୍ରତିଶତ ଉଦ୍ୟମ କରିବ । ସୂଚନା ଯେ, ମଙ୍ଗଳବାର ସକାଳୁ କ୍ରୁନାଲଙ୍କ ତଣ୍ଟି ଦରଜ ହେବାରୁ ତାଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରା ଯାଇଥିଲା। ଏହି ରିପୋର୍ଟ ପଜିଟିଭ୍ ଆସିବାରୁ ତୁରନ୍ତ ଆର୍ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା। ଏହାର ଫଳ ମଧ୍ୟ ପଜିଟିଭ୍ ଆସିଛି। ଭାରତୀୟ ଶିବିରରେ ଯେପରି ଆଉ କୌଣସି ବ୍ୟକ୍ତି କରୋନା ସଂକ୍ରମିତ ନ ହୁଅନ୍ତୁ; ଏହା ନିଶ୍ଚିତ କରିବା ଲାଗି ଦଳର ସମସ୍ତ ଖେଳାଳିଙ୍କର ଆର୍ଟି-ପିସିଆର୍ ପରୀକ୍ଷା କରିବାକୁ ବିସିସିଆଇ ସମ୍ପାଦକ ଜୟ ଶାହା ନିର୍ଦେଶ ଦେଇଛନ୍ତି। ଏହାର ଫଳାଫଳ ଉପରେ ୨ୟ ଟି-୨୦ ମ୍ୟାଚ୍ ଖେଳାଯିବା ନିର୍ଭର କରେ। ଯଦି ଆଉ ଜଣେ ଖେଳାଳି କିମ୍ବା ପ୍ରଶିକ୍ଷଣ ସହଯୋଗୀ କରୋନା ସଂକ୍ରମିତ ହେବା ଜଣାପଡ଼େ; ତେବେ ସିରିଜ୍ ବାତିଲ ହୋଇପାରେ। କ୍ରୁନାଲ ପାଣ୍ଡ୍ୟା ଜୈବ ନିରାପତ୍ତା ବଳୟରୁ ବାହାରକୁ ଯାଇ ନ ଥିବାବେଳେ ସେ କିପରି କରୋନା ସଂକ୍ରମିତ ହେଲେ; ତାହା ସମସ୍ତଙ୍କୁ ବ୍ୟଥିତ କରିଛି। ଏପରି ହୋଟେଲ କର୍ମଚାରୀ ମଧ୍ୟ ଜୈବ ନିରାପତ୍ତା ବଳୟରେ ଅଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳର କୌଣସି ଖେଳାଳି କରୋନା ସଂକ୍ରମିତ ହୋଇନାହାନ୍ତି। ଏକାନ୍ତବାସରେ ଥିବାରୁ କ୍ରୁନାଲ ପାଣ୍ଡ୍ୟା ଓ ଅନ୍ୟ କିଛି ଖେଳାଳି ଶେଷ ୨ଟି ଟି-୨୦ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଚୂଡ଼ାନ୍ତ ଏକାଦଶ ଗଠନ ପାଇଁ ଭାରତୀୟ ଦଳରେ ଯଥେଷ୍ଟ ଖେଳାଳି ଅଛନ୍ତି।
