ଆଜି ଭାରତ-ଚୀନ୍ ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା
ନୂଆଦିଲ୍ଲୀ : ଆଜି ଭାରତ- ଚୀନ୍ ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା । ଲଦାଖରୁ ସେନା ପ୍ରତ୍ୟାହାର ପ୍ରସଙ୍ଗ ଉପରେ ଭାରତ ଓ ଚୀନ୍ ମଧ୍ୟରେ ତ୍ରୟୋଦଶ ପର୍ଯ୍ୟାୟ ସାମରିକ ଅଧିକାରୀସ୍ତରୀୟ ଆଲୋଚନା ଆଜି ହେବ। ଜାତୀୟ ଗଣମାଧ୍ୟ ଏହି ରିପୋର୍ଟ କରିଛି। ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ କୋର କମାଣ୍ଡର ସ୍ତରରେ ୧୨ଥର ଆଲୋଚନା ହୋଇଛି। କିନ୍ତୁ କୌଣସି ଲାଭ ହୋଇନାହିଁ। ୧୩ତମ ପର୍ଯ୍ୟାୟରେ ଆଜି ଚୀନ ସୀମା ମିଟିଙ୍ଗ ପଏଣ୍ଟ ମୋଲ୍ଡୋରେ ଏହି ଆଲୋଚନା ଆରମ୍ଭ ହୋଇପାରେ।
ଉଭୟ ଦେଶର କମାଣ୍ଡରଙ୍କ ଆଲୋଚନା ପୂର୍ବରୁ ଚୀନ ସୈନିକ ୨ ଥର ଭାରତୀୟ ସୀମା ଅତିକ୍ରମ କରିଛନ୍ତି। ଗତ ସେପ୍ଟେମ୍ବରରେ ବାରାହାତୀ ଠାରେ ପାଖାପାଖି ୧୦୦ ଚୀନ ସୈନିକ ଭାରତୀୟ ସୀମାରେ ପ୍ରବେଶ ଉଦ୍ୟମ କରିଥିଲେ, ଯାହାକୁ କି ଭାରତୀୟ ଯବାନମାନେ ବିଫଳ କରିଥିଲେ। ଏହା ପରେ ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚୀନ ସେନା ପୁଣି ଥରେ ପ୍ରବେଶ କରିବା ଦୁଃଖର ବିଷୟ। ସୂତ୍ର ଅନୁସାରେ ପାଖାପାଖି ୨୦୦ ଚୀନ ସେନା ଭାରତୀୟ ସୀମାକୁ ପ୍ରବେଶ କରିଥିଲେ। ସେମାନେ ଭାରତୀୟ ଯବାନଙ୍କୁ ସାମ୍ନା କରିଥିଲେ। ଖବର ଅନୁସାରେ ଭାରତୀୟ ଯବାନମାନେ ଚୀନ ସୈନିକଙ୍କୁ କିଛି ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ପରେ ବରିଷ୍ଠ ଅଧିକାରୀଙ୍କ ସହିତ କଥାବାର୍ତ୍ତା ପରେ ଛାଡ଼ି ଦିଆଯାଇଥିଲା। ସୂଚନା ଯେ, ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍ ପାଖ ଚୁସିଲ-ମୋଲ୍ ଡୋଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦୀର୍ଘ ୧୭ ମାସ ଧରି ପୂର୍ବ ଲଦାଖରେ ରହିଆସିଥିବା ସେନା ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ହେବ। ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍ ପ୍ରତିନିଧି ଦଳର ନେତୃତ୍ବ ନେବାକୁ ଥିବାବେଳେ ଚୀନ୍ ପକ୍ଷରୁ ମେଜର ଜେନେରାଲ ଲିଉ ଲିନ୍ ଙ୍କ ଦଳ ଆଲୋଚନା କରିବେ। ସୀମାନ୍ତରେ ଚୀନ୍ ବିପୁଳ ସେନା ମୁତୟନ ସହ ସାମରିକ ଭିତ୍ତିଭୂମି ନିର୍ମାଣ କରିଛି। ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଥିବା ଭାରତର ସେନାଧ୍ୟକ୍ଷ ଜେନେରାଲ ଏମ.ଏମ୍ ନରବଣେ କହିଛନ୍ତି। ଜେନେରାଲ ନରବଣେ ଲଦାଖ ଗସ୍ତ ସମୟରେ ଚୀନ୍ ଅଧିକ ସେନା ମୁତୟନ ସହ ଭିତ୍ତିଭୂମି ନିର୍ମାଣ କରିବା ନେଇ ଚିନ୍ତା ବ୍ୟକ୍ତ କରିଥିଲେ।
