ଆଜି ରୁକ୍ମିଣୀ ହରଣ ଏକାଦଶୀ : ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜ୍ଜିତ ହୋଇଛି ଶ୍ରୀମନ୍ଦିର, ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
ପୁରୀ : ଆଜି ରୁକ୍ମିଣୀ ହରଣ ଏକାଦଶୀ । ଗତ ମଙ୍ଗଳବାର ରାଜେନ୍ଦ୍ରାଭିଷେକ ପରେ ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ। ଶ୍ରୀମନ୍ଦିରରେ ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହୁଏ । ଏହାପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରନ୍ତି ।
ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବାର ପରମ୍ପରା ରହିଛି । ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ମହାଜନ ସେବକ ରୁକ୍ମିଣୀଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି । ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହୋଇଥାଏ । ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ। ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସଵ ଅନୁଷ୍ଠିତ ହୁଏ । ଏପଟେ ଆଜି ୠକ୍ମିଣୀ ହରଣ ନୀତି ପାଇଁ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଅପରାହ୍ନ ଗୋଟାଏରୁ ୫ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏପଟେ ଆଉ ତିନିଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ନାନ ପୂର୍ଣ୍ଣମୀ ଅବସରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ମାର୍କେଟ ଛକ କିମ୍ବା ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯିବ।
