ଆଜି ନେତାଜୀ ଜୟନ୍ତୀ, ଦେଶ ପାଳୁଛି ପରାକ୍ରମ ଦିବସ
ଆଜି ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ। ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି। ନେତାଜୀ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଦେଶ ଆଜି ପରାକ୍ରମ ଦିବସ ପାଳନ କରୁଛି।
ଭାରତର ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷ ଥିଲେ ଅନ୍ୟତମ । ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହରରେ ନେତାଜୀ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା’ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ। କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା।
କଟକରେ ସ୍କୁଲ ଶିକ୍ଷା ଶେଷ କରି କଲିକତାର ୟୁନିଭରସିଟି ଅଫ୍ କୋଲକାତାରୁ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଇଣ୍ଡିଆନ୍ ସିଭିଲ୍ ସର୍ଭିସ ପରୀକ୍ଷା ଦେବା ପାଇଁ ୧୯୧୯ରେ ସେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଥିଲେ । କେମ୍ବ୍ରିଜ୍ର ଫିଜୱିଲିୟମ୍ କଲେଜରେ ଅଧ୍ୟୟନ କରି ଆଇସିଏସ୍ରେ ଚତୁର୍ଥ ସ୍ଥାନ ହାସଲ କଲେ । ୧୯୨୧ରେ ଆଇସିଏସ୍ ତାଲିମ ନେବା ସମୟରେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଲା । ସୁଭାଷ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଲେ । ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ସ୍ୱାଧୀନତା ସଂଗ୍ରାମର ପରିକଳ୍ପନା ଓ ରୂପାୟନ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସୁଭାଷଙ୍କ ନେତୃତ୍ୱରେ ସ୍ୱରାଜ ଦଳ ଏକ ଶକ୍ତିଶାଳୀ ଦଳର ଭୂମିକା ଗ୍ରହଣ କରିଥିଲା । ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହୋଇଥିଲେ । ୧୯୨୪ରେ କଲିକତା ମହାନଗରୀ ମେୟର ହୋଇଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ସଶସ୍ତ୍ର ଆନ୍ଦୋଳନ ଦ୍ୱାରା ହିଁ ବ୍ରିିଟିଶ ଶାସନ କବଳରୁ ଭାରତକୁ ମୁକ୍ତ କରିହେବ ବୋଲି ସେ ବିଶ୍ୱାସ କରୁଥିଲେ ।ଏଥିପାଇଁ ସେ ବାରମ୍ବାର କାରବାରଣ କରିଥିଲେ । ସୁଦୂର ବର୍ଲିନ୍ରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ସେ ଆହ୍ୱାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କରିଥିଲେ । ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ଅକ୍ଟୋବର ୨୧ ତାରିଖରେ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ । ସେହିଠାରୁ ସେ ଆହ୍ୱାନ ଦେଇଥିଲେ ଦିଲ୍ଲୀ ଚଲୋ । ଏଥିସହ ଆରମ୍ଭ ହୋଇଥିଲା ଆଜାଦ୍ ହିନ୍ଦ ଫୌଜର ଅଭିଯାନ । ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରିଥିଲେ । ଏହାପରେ ହଜିଯାଇଥିଲେ ସୁଭାଷ । ବିଭିନ୍ନ କମିଟି ବସିଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ଓ ସମୟ ଆଜି ପର୍ଯ୍ୟନ୍ତ ସଠିକ୍ ନିରୂପିତ ହୋଇପାରି ନାହିଁ ।
ନେତାଜୀ ସୁଭାଷ ବୋଷ ବ୍ରିଟଶ ସରକାରଙ୍କୁ ଦିନେ ନିଜ ଦାମ୍ଭିକତାରେ ଚମକାଇ ଦେଇଥିଲେ। ତାଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛି। ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ।
