ଆଜି କାର୍ତ୍ତିକ ପୂର୍ଣ୍ଣିମା : ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଦର୍ଶନ ଲାଗି ଭକ୍ତଙ୍କ ଭିଡ଼
ପୁରୀ : ଆଜି କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ । ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ରାଇଦାମୋଦର ବ୍ରତପାଳନକାରୀ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଡଙ୍ଗା ଭସାଇ ବ୍ରତ ଉଦ୍ଯାପନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରବିବାରଠାରୁ ସୋମବାର ରାତି ପର୍ଯ୍ୟନ୍ତ ପହଡ଼ ନୀତି ନକରି ଶ୍ରୀଜିଉଙ୍କୁ ଯେପରି ଭକ୍ତମାନେ ଦର୍ଶନ କରିପାରିବେ ସେଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଥିଲା । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନିଆଯାଇଥିଲା ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଥିଲେ ଯେ, ରବିବାର ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ କରିଛନ୍ତି । ଏଥିପାଇଁ ରବିବାର ଭୋର ୪ଟା ୫୦ ମିନିଟ୍ରେ ଦ୍ୱାର ଫିଟା ସରିଥିଲା ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଠାକୁରଙ୍କ ବେଶ ହୋଇଥିଲା । ଗହଳି ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁ ଯେପରି ସୁରୁଖୁରୁରେ ଠାକୁର ଦର୍ଶନ କରିବେ ସେଥିନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ସୋମବାର କାର୍ତ୍ତିକ ବ୍ରତର ଶେଷ ଦିନ ଥିବାରୁ ଅନ୍ୟ ଦିନ ଅପେକ୍ଷା ଭକ୍ତସଂଖ୍ୟା ଦୁଇଗୁଣ ହେବେ ବୋଲି ଅନୁମାନ କରାଯାଉଛି । ତେଣୁ ନୀତିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆବଶ୍ୟକ ମହାପ୍ରସାଦ ରାନ୍ଧିବା ନିମନ୍ତେ ପ୍ରସ୍ତୁତି ହୋଇଛି । ସେବାୟତ ନିଯୋଗମାନଙ୍କ ସହ ଏନେଇ ଆଲୋଚନା କରାଯାଇଛି । କେବଳ ପ୍ରତୀକାତ୍ମକ ଭାବେ ଶ୍ରୀଜିଉଙ୍କ ପହଡ଼ କରାଯାଇ ରବିବାର ରାତିସାରା ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ଭିଡ଼ ନିୟନ୍ତ୍ରଣ ନିମନ୍ତେ ପୁଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି । ନୀତି ଠିକ୍ ଭାବେ ତ୍ୱରାନ୍ୱିତ କରିବାକୁ ନୀତି ପ୍ରଶାସକ, କମାଣ୍ଡରଙ୍କ ଦାୟିତ୍ୱ ଦିଆଯାଇଛି । ପୂର୍ବ ବର୍ଷ ତୁଳନାରେ ସଅଳ ନୀତି ସାରିବାକୁ ଲକ୍ଷ୍ୟ ରହିଛି । ଫଳରେ ସୋମବାର ଦିନ ସାରା ଠାକୁରଙ୍କ ସୁନାବେଶ ଦର୍ଶନ ଶ୍ରଦ୍ଧାଳୁମାନେ ଆରାମରେ କରିପାରିବେ ।
ସେପଟେ ଡଙ୍ଗା ଭସାଣ ଓ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ନିମନ୍ତେ ଅନେକ ଶ୍ରଦ୍ଧାଳୁ ଧର୍ମଶାଳା, ଲଜିଂ, ହୋଟେଲ ବୁକ୍ କରି ରହିଥିବା ବେଳେ ବହୁସଂଖ୍ୟକ ଶ୍ରଦ୍ଧାଳୁ ରବିବାର ଅପରାହ୍ଣ ପରଠାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ବେଳାଭୂମି, ଶରଧାବାଲି, ବଡ଼ଦାଣ୍ଡ, ସିଂହଦ୍ୱାର ପ୍ରଭୃତି ବିଭିନ୍ନ ସ୍ଥାନରେ ଡେରା ପକାଇଥିଲେ । ଶ୍ରୀମନ୍ଦିର ଚାରିପାଖରେ ପ୍ରବଳ ଭିଡ଼ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡ ସମେତ ଶ୍ରୀକ୍ଷେତ୍ରର ସାହିଗଳିର ବିଭିନ୍ନ ସ୍ଥାନରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଭିଡ଼ ନିୟନ୍ତ୍ରଣ ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଭିତରଠାରୁ ବଡ଼ଦାଣ୍ଡର ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଛି । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ କୌଣସି ଗାଡ଼ି ନଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୌଚାଳୟ, ଲଗେଜ୍ ରଖିବା କାଉଣ୍ଟର ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି । ମହୋଦଧି ଓ ତୀର୍ଥ ପୁଷ୍କରିଣୀମାନଙ୍କରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ଓ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯାଇଥିଲା ।
