ଆଜି ପବିତ୍ର ମହାଳୟା ଅମାବାସ୍ୟା, ବାଇଶି ପାହାଚରେ ଏବେ ବି ଲାଗିଛି କଟକଣା
ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁ ବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି। ଏଣୁ କେହି ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାଏ ତ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି।
ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ବାଛିଥାନ୍ତି। ହେଲେ କୋରୋନା ମହାମାରୀ ଯୋଗୁଁ ବାଇଶି ପାହାଚରେ ତିଳତର୍ପଣ ବନ୍ଦ ରହିଥିବା ବେଳେ ଏବେବି ଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନାହିଁ। କେବଳ ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି , ନରେନ୍ଦ୍ର, ଶ୍ୱେତଗଙ୍ଗା, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀରେ ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖଭାଗରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସେଡ୍ କରାଯାଇଥିବା ବେଳେ ମେଘନାଦ ପାଚେରୀ କଡରେ ପୁରୋହିତମାନେ ତିଳତର୍ପଣ କରୁଛନ୍ତି।
ଦୀର୍ଘ ଦୁଇବର୍ଷ ପରେ ଭକ୍ତମାନେ ଆନନ୍ଦରେ ପିତୃଶ୍ରାଦ୍ଧ ଦେଉଛନ୍ତି। ତେବେ ଏହି ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ଶ୍ରୀମନ୍ଦିର ବାଇଶିପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
ହିନ୍ଦୁ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ। ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ “ଦଶହରା ବଳଦ ଯାତ୍ରା”ର ଆରମ୍ଭ ହୋଇଥାଏ। ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ “ଧବଳମୁଖୀ ବେଶ” ହୋଇଥାଏ।
କିମ୍ବଦନ୍ତି ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ଯମପୁରରେ ପୁରସ୍କାର ସ୍ୱରୂପ ସୁନା, ରୁପା ମିଳିଥିଲା। କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା। କାରଣ କର୍ଣ୍ଣ ଜୀବିତାବସ୍ଥାରେ କେବେ ଅନ୍ନଦାନ କରି ନ ଥିଲେ। ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସିଥିଲେ ଏବଂ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ। ୧୪ ଦିନ ଶେଷ ହେବା ପରେ ସେ ପୁଣି ଯମପୁର ଫେରିଯାଇଥିଲେ। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା। ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନକୁ ପିତୃ ପକ୍ଷ କୁହାଯାଏ।
