ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ! ଆ କା ମା ବୈ… ଗୀତ ଗାନ କରି ଡଙ୍ଗା ଭସାଇବେ ଶ୍ରଦ୍ଧାଳୁ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା । ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଜଳାଶୟଗୁଡିକରେ ବୁଡ ପକାଇବା ସହ କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଆଦି ଦେଇ ‘ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋର…. ମାସକ ଧର୍ମ ମୋର…’ ଏହି ଗୀତ ଗାନ କରି ଶ୍ରଦ୍ଧାଳୁମାନେ ନଦୀରେ ଡଙ୍ଗା ଭସାଇଥାନ୍ତି ।
ଧର୍ମ ପୁରାଣ ଅନୁସାରେ ଆଷାଢ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ – ଏହି ଚାରି ମାସ ବର୍ଷର ପୂଣ୍ୟମାସ । ସେମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ବୋଲି କୁହାଯାଏ । ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୁଏ ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସର ଭୋରରୁ ସ୍ନାନ କରିବାଠୁ ସଂଧ୍ୟାରେ ଆକାଶଦୀପ ଦେବାଯାଏଁ ସବୁଥିରେ ଧାର୍ମିକ ମହାତ୍ମ୍ୟ ରହିଛି । ଶେଷ ପାଂଚ ଦିନକୁ ପଂଚୁକ ଭାବେ ପାଳନ କରାଯାଏ । ଆଜି ଏହାର ଶେଷ ଦିନ । ବୈଷ୍ଣବ ନୀତି ଅନୁସାରେ ଆଜି ଦିନକୁ ରାସପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଅନ୍ୟପଟେ ଏହି ଦିନରେ ପୁରୁଣା ଉକ୍ରଳୀୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ସକାଳୁ ସକାଳୁ ଗାଁରୁ ସହର ସବୁଠି ନଦୀ ପୁଷ୍କରଣୀରେ ଲୋକଙ୍କ ଭିଡ ।
ରଙ୍ଗବେରଙ୍ଗର ଡଙ୍ଗା ଭସାଇବାକୁ ସମସ୍ତଙ୍କ ମନରେ ବହୁ ଉତ୍ସାହ ଦେଖିବାକୁ ମିଳୁଛି । ଏହା ପଛରେ ରହିଛି ପୁରାତନ ଉତ୍କଳ ନୌବାଣିଜ୍ୟର ସ୍ମୃତି । ଏକଦା ଏଠାକାର ବଣିକ ସାତ ଦରିଆ ପାରିରେ ବ୍ୟବସାୟ କରୁଥିଲେ ।
