ଆଜି ଗୋପାଷ୍ଟମୀ! ଗୋମାତାଙ୍କ ପୂଜା କରିବା ସହ ଅର୍ପଣ କରନ୍ତୁ ଘାସ, ପୂରଣ ହେବ ସମସ୍ତ ମନୋସ୍କାମନା
ଆଜି ଗୋପାଷ୍ଟମୀ । କାର୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହି ଦିନ ପ୍ରାତଃ କାଳରୁ ସ୍ନାନାଦି ନିତ୍ୟ କର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି ।
ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ୱ ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଗୋବିନ୍ଦ ହୋଇଥିଲା । ଏହି ଦିନ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସେହିପରି ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତିକ, ଶୁକ୍ଳପକ୍ଷ ପ୍ରତିପଦା ଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ, ଗୋପ ଏବଂ ଗୋପୀ ମାନଙ୍କ ରକ୍ଷା ନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ ।
ଅଷ୍ଟମ ଦିନ ଦେବରାଜ ଇନ୍ଦ୍ରଙ୍କ ଅହଙ୍କାର ଭଙ୍ଗ ହୋଇଥିଲା । ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ । ଗୋମାତା କାମଧେନୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରିଥିଲେ । ସେହିଦିନ ଠାରୁ ଭଗବାନଙ୍କ ନାମ ଗୋବିନ୍ଦ ହୋଇଥିଲା ।
ଓଡ଼ିଆ ଜନଜୀବନ ଓ ଆଧ୍ୟାତ୍ମିକ ଚେତନାରେ ଗୋଷ୍ଠାଷ୍ଟମୀ ଏକ ପବିତ୍ର ଦିନ । ଏହି ଦିନରେ କିଛି ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ଗରିବ ଅସହାୟଙ୍କୁ ଅନ୍ନ ଓ ବସ୍ତ୍ରଦାନ କରି ଆଶୀର୍ବାଦ ପ୍ରାପ୍ତ ହୋଇଥାନ୍ତି । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଏହି ଦିନ ସମାପନ ହୋଇଥାଏ । ପବିତ୍ର କାର୍ତିକ ମାସରେ ଗୋଷ୍ଠାଷ୍ଟମୀର ଦିବ୍ୟ ଅବସର ରହିଥିବାରୁ ଏହାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଓ ମହତ୍ୱ ଆହୁରି ଗୁରୁତ୍ୱ ବଢ଼ାଇ ଦେଇଥାଏ ।
