ଆଜି ଇଦ୍-ଉଲ୍-ଫିତର୍ ! ଜାଣନ୍ତୁ ପବିତ୍ର ରମଜାନ୍ ମାସ ଏବଂ ତାର ମହତ୍ତ୍ୱ …
ରମଜାନ୍ ମାସ ମୁସଲିମ୍ ସଂପ୍ରଦାୟର ଅତି ପବିତ୍ର ମାସ। ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମ ଦ୍ୱାରା ପାପ ରାଶି ଜଳିଯାଏ)। ଇସଲାମ୍ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ୍ ମାସ ହେଉଛି ବର୍ଷର ନବମ ମାସ। ଏହା ସାବାନର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ। ଏହି ପବିତ୍ର ମାସ ସାରା ରୋଜା (ଉପବାସ) ଓ ଏବାଦତ୍ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରା ଯାଇଥାଏ। ଇସଲାମ୍ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରିଥାଏ। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ୱା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଂଯମ ଅବଲମ୍ବନ କରାଯାଇ ଆଲ୍ଲାଙ୍କ ସ୍ତୁତି କରିବାକୁ ରୋଜା କୁହାଯାଏ। ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ। ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ।
ଇସଲାମୀ କ୍ୟାଲେଣ୍ଡର ଅନୁଯାୟୀ ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ ‘ଇଦ୍-ଉଲ୍-ଫିତର୍’ ଦିନ ଶେଷ ହୋଇଥାଏ। ଇଦ୍ ଅର୍ଥ ଖୁସି, ଫିତର୍ ଅର୍ଥ ଦାନ। ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ୍ ରାତ୍ରି ଅଟେ। ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀ ବର୍ଷ ପାଇଁ ରୋଜି ଓ ରୋଜଗାର ଦେଇଥାନ୍ତି। ଇଦ୍ ଉଲ୍- ଫିତର୍ ହେଉଛି ଦାନର ମହୋତ୍ସବ। ଏହି ପବିତ୍ର ଦିନରେ ବର୍ଷ ସାରା ଆୟ କରିଥିବା ଅର୍ଥର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି। ରମଜାନ୍ ମାସରେ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ମୁସଲମାନ୍ ମାନେ ଆଲ୍ଲା ତାଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରିଥାନ୍ତି। ସବେକଦର୍ ଦିନଟି ରମଜାନ୍ ମାସର ଶ୍ରେଷ୍ଠ ଦିନ। ଏହି ଦିନ ଇସଲାମ୍ ଧର୍ମାବଲମ୍ବୀ ମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ମୁସଲିମ୍ ବିଶ୍ୱାସ ଅନୁଯାୟୀ ଏହି ମାସ ତିନି ଭାଗରେ ବିଭକ୍ତ। ପ୍ରଥମ ୧୦ ଦିନ ଆଲ୍ଲା ତାଲ୍ଲା ଦୟା କରନ୍ତି। ୧୧ଶରୁ ୨୦ଶ ଦିନ ପାପୀର ପାପକୁ କ୍ଷମା କରିଥାଆନ୍ତି। ୨୧ଶରୁ ୩୦ଶ ଦିନ ପର୍ଯ୍ୟନ୍ତ ଦୋଜଖ୍ (ନର୍କ) ନିଆଁରୁ ମୁକ୍ତି ଦେଇଥାନ୍ତି।
ରୋଜା –
୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତ ଇସଲାମୀୟ ଧର୍ମାବଲମ୍ବୀଙ୍କ ନିମନ୍ତେ ରୋଜା ଏକ ପ୍ରକାର ବାଧ୍ୟତାମୂଳକ କହିଲେ ଚଳେ। ଇସଲାମ୍ ବିଶ୍ୱାସ ଅନୁଯାୟୀ ରମଜାନ୍ ମାସରେ ଭଲ କାମ କଲେ ସାଧାରଣ ଦିନ ଅପେକ୍ଷା ୭୦ ଗୁଣା ଅଧିକ ପୂଣ୍ୟ ଅର୍ଜନ ହୁଏ। ଏହି ମାସରେ ନର୍କର ଦ୍ୱାର ବନ୍ଦ ଥାଏ। ଏହି ମାସରେ ପୈଗମ୍ବର ମହମ୍ମଦ ଆଶୀର୍ବାଦ ସ୍ୱରୂପ ଆଲ୍ଲାଙ୍କ ବାଣୀ (କୋରାନ ସରିଫ) ପ୍ରାପ୍ତ ହୋଇଥିଲେ। ଭକ୍ତମାନେ ପରମ୍ପରା ଅନୁସାରେ ପ୍ରାତଃ କାଳରେ ରୋଜା ରଖିବା ବେଳେ ଆଲ୍ଲାଙ୍କୁ ସ୍ମରଣ କରି କୁହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖୁଛି ମୋ ରୋଜାକୁ ଗ୍ରହଣ କରନ୍ତୁ”। ସେହିପରି ରୋଜା ଖୋଲିବା ବେଳେ କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖିଥିଲି ଏବଂ ଆପଣଙ୍କ ଆଶୀର୍ବାଦରୁ ଖୋଲୁଛି”।
ସହେରୀ –
ରୋଜା ରଖିବା ନିମନ୍ତେ ମୁସଲମାନ୍ ମାନେ ରାତ୍ରିର ଶେଷ ପ୍ରହରରେ କରୁଥିବା ଭୋଜନକୁ ସହେରୀ କୁହାଯାଏ। ଏହି ଭୋଜନ ରୋଜା ରଖୁଥିବା ସମସ୍ତ ଭକ୍ତଙ୍କ ନିମନ୍ତେ ବାଧ୍ୟତାମୁଳକ ଅଟେ ।
ଇଫତାର୍ –
ରୋଜା ଖୋଲିବା ପରେ ଯେଉଁ (ଅଳ୍ପ) ଭୋଜନ କରାଯାଏ ତାହାକୁ ଇଫତାର୍ କୁହାଯାଏ। ସୂର୍ଯ୍ୟାସ୍ତ ପରେ ଅଜାନ୍ ପାଠ କରିବା ସମୟ ଇଫତାର୍ ପାଇଁ ପ୍ରକୃତ ସମୟ।
ତରାବୀ –
ସାଧାରଣ ଦିନ ମାନଙ୍କରେ ପ୍ରତିଦିନ ପାଞ୍ଚ ଥର ନିୟମିତ ନମାଜ (ସୁବ୍ହା, ଜୋହର, ଅସର, ମଗରୀବ ଓ ଇଶା) ପଢ଼ାଯାଏ। କିନ୍ତୁ, ରମଜାନ୍ ମାସରେ ନିୟମିତ ଇଶା କି ନମାଜ୍ ପରେ ପ୍ରାୟ ଏକ ଘଣ୍ଟାରୁ ଦୁଇଘଣ୍ଟା ଧରି ସ୍ୱତନ୍ତ୍ର ତରାବି (ତରାୱିହ୍) ନମାଜ୍ ପାଠ କରାଯାଇଥାଏ।
ସବେ କଦର୍ –
ରମଜାନ୍ ମାସର ବିଶେଷ କେତୋଟି ଦିନ ରାତିରେ ଉଜାଗର ରହି ନମାଜ୍ ପାଠ, କୋରାନ ପାଠ ଓ ଆଲ୍ଲାଙ୍କ ନାମ ଜପ କରିବାକୁ ସବେ କଦର୍ କୁହାଯାଏ। ଏହି ମାସର ୨୧, ୨୩, ୨୫, ୨୭ ଓ ୨୯ତମ ରାତିରେ ସବେ କଦର୍ କରାଯାଏ। ଏଥିମଧ୍ୟରୁ ୨୭ତମ ରାତିରେ ପବିତ୍ର ଧର୍ମଗ୍ରନ୍ଥ କୋରାନ୍ ଆଲ୍ଲାଙ୍କ ନିକଟରୁ ଆସି ଥିବାରୁ ଅଧିକ ସଂଖ୍ୟକ ଭକ୍ତ ଉଜାଗର ରହିଥାନ୍ତି।
ଏତେକାଫ୍ –
ରମଜାନ୍ ମାସର ଶେଷ ଦଶ ଦିନ କିଛି ପୁରୁଷ ଘର ଛାଡ଼ି ମସଜିଦରେ ଓ କିଛି ମହିଳା ଘର ଭିତରେ ରହି ଆଲ୍ଲାଙ୍କୁ ସ୍ତୁତି କରନ୍ତି। ଏହା ଏତେକାଫ୍ ଭାବେ ନାମିତ। ଇଦ୍ ଚାନ୍ଦ୍ (ଜହ୍ନ) ଦେଖିବା ପରେ ମସଜିଦରୁ ପୁରୁଷମାନେ ଘରକୁ ଫେରନ୍ତି ଏବଂ ଘରେ ଥିବା ମହିଳା ମାନେ ମଧ୍ୟ ବାହାରକୁ ବାହାରନ୍ତି।
ରୋଜା ମକ୍ରୁ –
ମୁସଲମାନ୍ ମାନେ ରମଜାନ୍ ମାସର ଦିନ ବେଳା ଖାଦ୍ୟ ପାନୀୟ ପରିହାର କରିବା ସହ ମାସ ସାରା ସମଗ୍ର ଶରୀରକୁ ହିଂସା, ଦ୍ୱେଷ ଓ ପରଶ୍ରୀକାତର ଭଳି ଖରାପ କାମରୁ ଦୁରେଇ ରଖନ୍ତି। ଏହି ସମୟରେ ନାଚ-ଗୀତ ଭଳି ମନୋରଞ୍ଜନଧର୍ମୀ ଦୃଶ୍ୟ, କଥାଚିତ୍ର ଆଦି ଦେଖିବା ନିଷେଧ। ଏହି ସମୟରେ ଗାଳି, କୁମନ୍ତ୍ରଣା, ମିଥ୍ୟା କହିବାରୁ ଦୁରେଇ ରହନ୍ତି। ପର ଚର୍ଚ୍ଚା ଓ ପରର ସମାଲୋଚନାରେ ଭାଗ ନିଅନ୍ତି ନାହିଁ। ରହସ୍ୟ କଥାରୁ ଦୁରେଇ ରୁହନ୍ତି। ନିଜ ଶରୀର, ହାତ ଓ ଗୋଡ଼ ଆଦିକୁ କୌଣସି ଖରାପ କାମ ନିମନ୍ତେ ବ୍ୟବହାର କରନ୍ତି ନାହିଁ। ଏହି ସବୁ ନୀତି ନିୟମକୁ ପାଳନ କରିନଥିବା ବ୍ୟକ୍ତିର ରୋଜା ମକ୍ରୁ (ଅସଫଳ) ହୋଇଥାଏ। ଏହା ଛଡ଼ା ଅନ୍ୟାନ୍ୟ କାରଣରୁ ଯଥା ବାନ୍ତି ହେଲେ କିମ୍ବା ଶରୀରରୁ ରକ୍ତ ନିର୍ଗତ ହେଲେ ମଧ୍ୟ ରୋଜା ମକ୍ରୁ ବ୍ୟାଘାତ ହୁଏ ।
ସାର ଅର୍ଥରେ କହିବାକୁ ଗଲେ ଏହି ପବିତ୍ର ମାସରେ ରୋଜା ରଖିଥିବା ଭକ୍ତ ଆଲ୍ଲାଙ୍କ ନିକଟତର ହେବା ପାଇଁ ପଞ୍ଚେନ୍ଦ୍ରିୟ ସମତେ ଭୋକ ଶୋଷ ଓ ସମସ୍ତ ଇଚ୍ଛାକୁ ଆୟତ୍ତ କରି ଆଲ୍ଲାଙ୍କ ନିକଟତର ହେବା ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖେ। ସାଧାରଣ ଭାବେ ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା। ଏହି ମାସ ଇଦ୍ ବା ଇଦ୍ ଉଲ୍- ଫିତର ପର୍ବ ପାଳନ ସହ ସମାପ୍ତ ହୋଇଥାଏ।
