ଆଜି ଇଦ-ମିଲାଦୁନ-ନବି, ଝଲସୁଛି ବାଲେଶ୍ୱର ସହର
ବାଲେଶ୍ୱର : ଆଜି ଇସଲାମ ଧର୍ମାଵାଲମ୍ବୀ ମାନେ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଦିବସ କୁ ଇଦ -ମିଲାଦୁନ -ନବି ପର୍ବ ଭାବେ ପାଳନ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ମୁସଲମାନ ବହୁଳ ସାହି ବସ୍ତି ଓ ମସଜିଦ ରେ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ମହମ୍ମଦଙ୍କ ଜୟନ୍ତୀ ପାଳନ ହେବାକୁ ଯାଉଥିବା ବେଳେ ପ୍ରାୟ ପ୍ରତ୍ୟେକ ପରିବାର ନୂତନ ବସ୍ତ୍ର, ଜୋତା, ସୁସ୍ୱାଦୁ ଖାଦ୍ୟ, ଫଳ ଆଦି କ୍ରୟ କରୁଥିବାରୁ ବଜାର ଗୁଡିକ ରେ ଭରପୁର ହୋଇଯାଇଥିଲା । ପର୍ବ ପାଳନ ପାଇଁ ଘରେ ଘରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।

ରବିବାର ସକାଳ ୭ଟା ସମୟରେ ଦରଘା ମୈଦାନ ରୁ ଏକ ବାଇକ ଶୋଭଯାତ୍ରା ବାହାରି ଗୋଳା ପୋଖରୀ, ମଠସାହି, ସୁନହଟ, ଭୋଇସାହି, ଆଇ ଟି ଆଇ ଛକ, ପୋଲିସ ଲାଇନ ଛକ, ଅରଡ଼ ବଜାର , ଫାଣ୍ଡି ଛକ, ସିନେମା ବଜାର ଛକ, ମୋତିଗଞ୍ଜ ବଜାର ଟାଉନ ଥାନା ଛକ ବାଟ ଦେଇ ଦରଘା ମୈଦାନ ରେ ପହଂଚିବ. ସେହିପରି ସନ୍ଧ୍ୟାରେ ଏକ ଜୁଲୁସ ଶୋଭାଯାତ୍ରା ସହର ପରିକ୍ରମା କରିବ । ସେହିପରି ଚାନ୍ଦିପୁର, ରେମୁଣା, ପରିଖୀ ଆଦି ଅଂଚଳରେ ଥିବା ଇସଲାମ ଧର୍ମାବଲମ୍ବୀ ଜନସାଧାରଣ ଇଦ -ମିଲାଦୁନ -ନବି ପର୍ବକୁ ପାଳନ କରିବା ଲାଗି ପ୍ରସ୍ତୁତି ପର୍ବକୁ ଚୂଡାନ୍ତ କରିଛନ୍ତି । ଅନ୍ୟପକ୍ଷରେ ଆଜି ଇଦ -ମିଲାଦୁନ -ନବି, ଗଜ ଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣମୀ ଉତ୍ସବ ଏକ ସାଙ୍ଗରେ ପାଳିତ ହେବାକୁ ଯାଉଥିବା ବେଳେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।
