ଆଜି ଅନନ୍ତ ବ୍ରତ : ଆସନ୍ତୁ ଜାଣିବା ଏହାର ମହତ୍ତ୍ୱ ଓ ମହାତ୍ମ୍ୟ
ଭବିଷ୍ୟ ପୁରାଣ ଉକ୍ତି ଅନୁସାରେ ଧାତୁଦ୍ରବ୍ୟରେ ଅନନ୍ତଙ୍କ ମର୍ତ୍ତି ନିର୍ମାଣ ବା ଶାଳଗ୍ରାମଙ୍କୁ ପଦ୍ମ କିମ୍ବା ଭଦ୍ରମଣ୍ଡଳରେ ସ୍ଥାପନ ପୂର୍ବକ ଏହି ପୂଜା ଚତୁର୍ଦ୍ଦଶ ବର୍ଷକାଳ କରିବା ବିଧେୟ । ବ୍ରତୀମାନେ ଉପାସ ବ୍ରତ ପାଳନ ପୂର୍ବକ ନିଜ ନିଜ ଗୃହରେ କିମ୍ବା ବିଷ୍ଣୁ ମନ୍ଦିରମାନଙ୍କରେ ଅନନ୍ତ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତି । ପୂଜା ନିମନ୍ତେ ଖଇ,ଲଡୁ ଓ ପିଠା ସବୁଥିରୁ ଦଶଟି ଲେଖାଏଁ ଭୋଗ କରାଯାଏ । ଚଉଦ ପ୍ରକାର ଫୁଲ ଓ ଫଳ ଠାକୁରଙ୍କୁ ଅର୍ପଣ କରିବା ବିଧି ରହିଛି । ଅନନ୍ତ, ବାସୁକି, ତକ୍ଷକ, କର୍କୋଟକ, କୁଳିକ, ଶଙ୍ଖପଦ୍ମ, ମହାପଦ୍ମ ଓ ମହାନିଧି ଏହି ଅଷ୍ଟକୁଳନାଗଙ୍କୁ ଗୁଆ ବସାଇ ପୂଜା କରିବା ବିଧି । ଲାଲ ସୂତାରେ ଚଉଦଟି ଗଣ୍ଠି ପକାଇ ଏକ ବ୍ରତ ପ୍ରସ୍ତୁତ କରି ପୂଜା ପୀଠରେ ରଖାଯାଏ । ଅନନ୍ତ ସଂସାର ମନ୍ତ୍ରରେ ଆହୁତି ଦେଇ ପୂରାତନ ଡୋର ବା ବ୍ରତକୁ କଞ୍ଚାକ୍ଷୀରରେ ପକାଇ ନୂତନ ଡୋରକୁ ପୂଜାକରି ପୁରୁଷ ଦକ୍ଷିଣହସ୍ତ ବାହୁ ଓ ସ୍ତ୍ରୀ ବାମହସ୍ତ ବାହୁରେ ଧାରଣ କରିବେ । ଧାରଣ କରିବା ପୂର୍ବରୁ ଚନ୍ଦନ କୁଶଦ୍ୱାରା ଏକ ସର୍ପ ଆକୃତି ଲେଖି ତାକୁ ଧୋଇ ପାନ କରିବ । ଏହି ଡୋରକୁ ହିଁ ଦେବତା ଜ୍ଞାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନନ୍ତ ବ୍ରତ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ପାଳନ କରାଯାଏ । ଏହାକୁ ଅନନ୍ତ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ ।
ଅନନ୍ତ ବ୍ରତ ହିଁ ସର୍ବ ପାପହର ଏବଂ ମଙ୍ଗଳପ୍ରଦ ଅଟେ । ଭୀଷ୍ମ ଯୁଧିଷ୍ଠିରଙ୍କୁ କହୁଛନ୍ତି ହେ ଯୁଧିଷ୍ଠିର! ଏହି ବ୍ରତ ସ୍ତ୍ରୀ ପୁରୁଷ ସମସ୍ତଙ୍କର ସର୍ବବିଧ କାମନା ପୂର୍ଣ୍ଣ କରେ । ଅନନ୍ତ ଦେବଙ୍କ ବ୍ରତ ନିମନ୍ତେ ‘ଅନନ୍ତ ବ୍ରତ କଥା’ ପ୍ରଚଳିତ । ଭବିଷ୍ୟ ପୁରାଣରେ ଶ୍ରୋତା ଯୁଧିଷ୍ଠିରଙ୍କୁ ଭଗବାନ କୃଷ୍ଣ ଏହା ଶୁଣାଇଛନ୍ତି । ଏକଦା ଶ୍ରୀକୃଷ୍ଣ ହସ୍ତିନାପୁରକୁ ଯାଇଥିଲେ । ଧର୍ମ୍ମାତ୍ମା ଯୁଧିଷ୍ଠିର ପରମେଶ୍ୱରଙ୍କୁ ଆଦର ଅଭ୍ୟର୍ଥନା ପୂର୍ବକ ପଚାରିଲେ, ଆପଣଙ୍କ ଅନେକ ବ୍ରତ ମଧ୍ୟରୁ କେଉଁ ବ୍ରତ ଶ୍ରେଷ୍ଠ ମୋତେ କୁହନ୍ତୁ । ଶ୍ରୀକୃଷ୍ଣ କହିଲେ ଅନନ୍ତବ୍ରତ ମୋର ସର୍ବଶ୍ରେଷ୍ଠ ବ୍ରତ, ଏହା ପରମ ଗୋପନୀୟ ଯାହା ସ୍ତ୍ରୀ ଓ ପୁରୁଷମାନଙ୍କୁ ଉତ୍ତମ ଗତି ପ୍ରଦାନ କରିଥାଏ । ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ଆରମ୍ଭ କରାଯାଏ । ଯୁଧିଷ୍ଠିର ପଚାରିଲେ ଅନନ୍ତ ବୋଲି କାହାକୁ କହୁଛନ୍ତି । ଶ୍ରୀକୃଷ୍ଣ କହିଲେ ତୁମେ ତତ୍ତ୍ୱ ଅନନ୍ତରୁପ ବୋଲି ମୋତେ ଜାଣ । ର୍ମୁଁ ହେଉଛି ସୂର୍ଯ୍ୟ, ର୍ମୁଁ ହେଉଛି ଚନ୍ଦ୍ର ଏବଂ ର୍ମୁଁ ହେଉଛି କାଳ । ନିମେଷ, ଦିନ, ରାତ୍ର, ପକ୍ଷ, ମାସ, ଋତୁ, ବର୍ଷ, ଯୁଗ, କଳ୍ପ ଏ ସବୁ ମୁଁ ବୋଲି ଜାଣିବ । ଭବଭରା ତାରଣାର୍ଥେ ଆମ୍ଭେ ଜନ୍ମ ନେଇଥାଉ । ଦାନବମାନଙ୍କର ନାଶ ଅର୍ଥେ ବସୁଦେବକୂଳେ ମୁଁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରି ଜନ୍ମ ନେଇଥିଲି । ବ୍ରହ୍ମା ମୁଁ, ଆଦିତ୍ୟ ମୁଁ, ଶେଷ ଯେ ପୃଥିବୀ ଧରି ଅଛି ସବୁଠାରେ ମୁଁ ଈଶ୍ୱର ଯେ ସର୍ବବ୍ୟାପି । ମହାକାୟ ଯେ ବିଶ୍ୱରୁପ ସେହି ମୁଁ, ଜଗତ ପ୍ରାଣୀମାନଙ୍କର କ୍ଷୟର କାରଣ ମୁଁ । ହେ ଯୁଧିଷ୍ଠିର ତୋତେ ଯେ ରୁପ ଦେଖାଉଅଛୁ ସେ କେବଳ ପ୍ରତ୍ୟୟ ନିମିତ୍ତ ଅବତାର ଅଟଇ । ପରମ ଯୋଗୀମାନେ ମୋତେ ଧ୍ୟାନ କରି ନ ପାଆନ୍ତି । କୌଣସିଠାରେ ମୋ ରୁପ ନାହିଁ, ମୁଁ ଅରୁପ ଅଟଇ ।
ଚତୁର୍ଦ୍ଦଶ ମନୁ ଯେ ନିଦ୍ରାର ଅବତାର ହୋଇଲେ, ଯେ ମୁଁ ଅଷ୍ଟବସୁ ମୁଁ, ଦ୍ୱାଦଶାଦିତ୍ୟ ମୁଁ, ଏକାଦଶ ରୁଦ୍ର ମୁଁ । ସପ୍ତଋଷି ମୁଁ, ସମୁଦ୍ରମାନେ ମୁଁ, ପର୍ବତମାନେ ଯେ ସେ ମୁଁ, ଦ୍ରୁମ ଯେ ଗଛମାନେ ଏ ସବୁ ମୁଁ ବୋଲି ଜାଣିବ । ନକ୍ଷତ୍ର, ଦିଗ, ପୃଥିବୀ, ପାତାଳ ଚତୁର୍ଦ୍ଦଶ ଭୁବନ ଏ ସବୁ ମୁଁ । ଅନନ୍ତ ବ୍ରତ ପାଳନର ଫଳ ସଂପର୍କରେ ଏକ ଆଖ୍ୟାୟିକା ବର୍ଣ୍ଣନା କରି ଶ୍ରୀକୃଷ୍ଣ କହିଲେ ପୂର୍ବକାଳରେ ସତ୍ୟଯୁଗରେ ବଶିଷ୍ଟ ଗୋତ୍ରରେ ଜାତ ସମୁନ୍ତ ବ୍ରାହ୍ମଣ ଭୃଗୁଙ୍କ କନ୍ୟା ଦୀକ୍ଷାଙ୍କୁ ବିବାହ କରି ସୁଶୀଳା ନାମକ ଏକ କନ୍ୟା ପ୍ରାପ୍ତି ହୋଇଥିଲେ । କନ୍ୟାକୁ ଜନ୍ମ ଦେବା ପରେ ଦୀକ୍ଷାଙ୍କର ମୃତ୍ୟୁ ହେବାରୁ ସୁମନ୍ତ କର୍କଶାଙ୍କୁ ୨ୟ ବିବାହ କଲେ । ସୁଶୀଳା କୌଣ୍ଡିନ୍ୟ ନାମକ ଏକ ବ୍ରାହ୍ମଣ ଯୁବକକୁ ବିବାହ କରିବା ପରେ ବିମାତାଙ୍କ ନିର୍ଯାତନା ସହି ନ ପାରି ଘର ଛାଡିଲେ । ବାଟରେ ନଦୀ ତଟରେ ରକ୍ତବର୍ଣ୍ଣ ବସ୍ତ୍ର ପରିହିତା ସ୍ତ୍ରୀ ଲୋକମାନେ ଅନନ୍ତ ବ୍ରତ ପାଳନ କରୁଥିବା ଦେଖି ସୁଶୀଳା ସେମାନଙ୍କଠାରୁ ବୁଝି ବ୍ରତ ପାଳନ କଲା ଓ ଅନନ୍ତଦେବଙ୍କ କୃପାରୁ କୌଣ୍ଡିନ୍ୟର ଗୃହ ମଣିମାଣିକ୍ୟରେ ପରିପୂର୍ଣ୍ଣ ହୋଇଗଲା । କେତେଦିନ ଉତ୍ତାରୁ କୌଣ୍ଡିନ୍ୟ ସୁଶୀଳା ହାତରୁ ସେ ବ୍ରତକୁ ଛିଣ୍ଡାଇ ନିଆଁରେ ପକାଇ ଦେବାରୁ ଅନନ୍ତ ଦେବଙ୍କ କୋପରୁ ଶ୍ରୀହୀନ ହୋଇ ଗଲେ ।
ଅନନ୍ତଦେବଙ୍କୁ ଅମାନ୍ୟ କରିଥିବା ଉପଲବ୍ଧ କରି ତାଙ୍କୁ ଦର୍ଶନ କରିବା ପାଇଁ ଗୃହ ତ୍ୟାଗ କରି ବନରେ ବୁଲୁ ବୁଲୁ ଗୋଟିଏ ଫଳନ୍ତି ଆମ୍ବବୃକ୍ଷ, ଦୁଧିଆଳୀ ଗାଈ, ଏକ ବୃଷଭ, ଦୁଇଟି ପୁଷ୍କରିଣୀ, ଗୋଟିଏ ଗଧ ଓ ହାତୀଙ୍କୁ ଅନନ୍ତଦେବଙ୍କ ସଂପର୍କରେ ପଚାରି ନିରାଶ ହୋଇ ଘୁରିବୁଲୁଥିବା ବେଳେ ଜଣେ ବୃଦ୍ଧ ଅନନ୍ତଦେବଙ୍କ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧାରୀ ଅନନ୍ତଙ୍କ ଦର୍ଶନ କରାଇଲେ । କୌଣ୍ଡିନ୍ୟ ନିଜର ଦୋଷ କ୍ଷମା ଯାଚନାକରି ଅନନ୍ତଦେବଙ୍କ କୃପାପ୍ରାପ୍ତ ହୋଇ ସୁଖରେ ସଂସାରକଲେ ଏବଂ ମୃତ୍ୟୁପରେ ବୈକୁଣ୍ଠ ପ୍ରାପ୍ତି ହୋଇଥିଲେ । ବାଟରେ ଭେଟିଥିବା ବୃକ୍ଷ, ଗାଈ ଆଦି ପୁର୍ବ ଜନ୍ମରେ କୁକର୍ମ କରିଥିବାରୁ ଏ ଜନ୍ମରେ ଏପରି ଫଳ ଭୋଗ କରୁଥିଲେ ବୋଲି ଜଣାଇଲେ । ପୂର୍ବ ଜନ୍ମାର୍ଜିତ ପ୍ରାରବ୍ଧ କର୍ମ ଭୋଗ ଦୋଷରୁ ମୁକ୍ତି ପାଇବା ପାଇଁ ଅନନ୍ତବ୍ରତ ପାଳନ ହିଁ କେବଳ ଏକମାତ୍ର ଉପାୟ । ଏହି ବ୍ରତ କଥାରେ ମନୁଷ୍ୟ ମନରେ ଭକ୍ତି ଜାତ କରାଇବା ନିମନ୍ତେ ଏବଂ ପାପଠାରୁ ଦୂରରେ ରହିବା ନିମନ୍ତେ ସତର୍କ କରାଇ ଦିଆଯାଇଛି । ପୂର୍ନଜନ୍ମବାଦ, ପ୍ରାରବ୍ଧକର୍ମ, ଈଶ୍ୱର ଭକ୍ତି ଯୋଗୁ ମାନବର ଉନ୍ନତି ସଂପର୍କରେ ସୂଚନା ଦିଆଯାଇଛି । ପ୍ରାରବ୍ଧର ପ୍ରାୟଶ୍ଚିତ, ଦୁଷ୍କୃତିରୁ ରକ୍ଷା, ଇହକାଳ ଓ ପରକାଳର ସୁଫଳ ଲାଭ ଏଥିରେ ନିହିତ ଅଛି । ଗର୍ବ, କ୍ରୋଧ, ପ୍ରତିଜ୍ଞାଭଙ୍ଗ, ପ୍ରତାରଣା, ଜୀବହତ୍ୟା ଓ ମିଥ୍ୟାଠାରୁ ଦୂରେଇ ରହିବା ଦ୍ୱାରା ମାନବଠାରେ ଦେବତ୍ୱର ସମ୍ଭବ ହୋଇପାରିବ । ଏହା ଦ୍ୱାରା ମାନବ ଜୀବନ ସୁନିୟନ୍ତ୍ରିତ ଓ ସାମାଜିକ ଆଚାର ବିଚାର ପଦ୍ଧତି ପ୍ରଣାଳୀବନକଡ଼ ହୋଇ ପାରିବ ।
