ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ : ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପରେ ଏହା ହେବ ୨ୟ କ୍ୟାବିନେଟ୍ ବୈଠକ । ସେହିପରି ଆସନ୍ତା ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସେ ସମ୍ପର୍କରେ ଏହି କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇପାରେ ।
ଆଉ ଏକ ଦୃଷ୍ଟିକୋଣରୁ ଏହି ବୈଠକର ଗୁରୁତ୍ୱ ବଢିଯାଇଛି । ତାହା ହେଉଛି ଗତ ପ୍ରାୟ ଏକ ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ କ୍ୟାବିନେଟ୍ ବୈଠକ ଯାହାକି ଭର୍ଚୁଆଲ ମୋଡରେ ନ ହୋଇ ପ୍ରତ୍ୟକ୍ଷଭାବେ ଅନୁଷ୍ଠିତ ହେବ । ଶେଷ ଥର ପାଇଁ ଏକ ପ୍ରତ୍ୟକ୍ଷ ଭାବେ କ୍ୟାବିନେଟ୍ ବୈଠକ ଗତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ କରୋନା ବ୍ୟାପିବା ପରେ କ୍ୟାବିନେଟ୍ ବୈଠକଗୁଡ଼ିକ ଭର୍ଚୁଆଲ ମୋଡ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେଉଥିଲା ।
