ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଳିବାମନ ବେଶ
ପୁରୀ : ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବାମନ ଜନ୍ମ ପାଳନ କରାଯାଏ ॥ ପୌରାଣିକ ଉପାଖ୍ୟାନ ଅନୁସାରେ ଏହିଦିନ ଏକ ଶୁଭ ମୁହୂର୍ତରେ ଭଗବାନ ବିଷ୍ଣୁ ନିଜ ପଞ୍ଚମ ଅବତାରରେ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରିତ୍ରୀରେ ଅବତରଣ କରିଥିଲେ।
ତ୍ରୟୋଦଶୀ ଦିନ ଶ୍ରୀମନ୍ଦିରରେ ଦ୍ଵିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରନ୍ତି ॥ ଏଥିରେ ସୁଭଦ୍ରା ସାଧାରଣ ବେଶ ଓ ବଳଭଦ୍ର ରାଜ ବେଶରେ ଦୃଶ୍ୟମାନ ହେବା ସଙ୍ଗେ ସଙ୍ଗେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଭୂଜ, ଶ୍ରୀପୟର ଓ କିରୀଟରେ ଆଭୁଷିତ ହୋଇଥାନ୍ତି ॥ ଶ୍ରୀଜଗନ୍ନାଥଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ୍ତରେ କୁଶବଟୁ ଗଡୁ ଧରାଯାଇ ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ଭୂଷିତ କରାଯାଏ ॥ ପୁଷ୍ପାଳକ ସେବକ ମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏପରି ବେଶ କରିଥାନ୍ତି, ଜଣାଯାଏ ସତେ ଯେପରି ଜଗନ୍ନାଥ ମହାପ୍ରଭୁ ସ୍ଵୟଂ ଏକ ବାମନ ବା କ୍ଷୁଦ୍ରକାୟ ବିପ୍ର ।
ଶ୍ରୀଜଗନ୍ନାଥ ବାମନ ଭାବେ ପରିଚିତ ॥ ବିଶେଷ କରି ରଥ ଯାତ୍ରା ସମୟରେ ତାଙ୍କୁ ବାମନ ଭାବରେ ବର୍ଣ୍ଣନା କରାଯାଇ କୁହାଯାଇଛି : “ରଥେତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ” ॥ ଜଗନ୍ନାଥଙ୍କର ହସ୍ତପଦ ବିହୀନ ଅବୟବକୁ ଦର୍ଶନ କଲେ ସେ ସ୍ଵତଃ ବାମନ ଭଳି ଦେଖାଯାନ୍ତି ।
ବାମନ ବେଶରେ ଠାକୁରଙ୍କୁ ଲାଗି କରାଯାଉଥିବା ସ୍ଵର୍ଣ ଅଳଙ୍କାର ଇତ୍ୟାଦି ବେଶ ଦିବସ ପୂର୍ବରୁ ରତ୍ନଭଣ୍ଡାରରୁ ବାହାର କରାଯାଇ ଭଣ୍ଡାର ମେକାପ ସେବକଙ୍କ ତତ୍ତ୍ଵବଧାନରେ ରହିଥାଏ । ବେଶ ଶେଷ ପରେ ନାଟ ମଣ୍ଡପରେ ଖଟଶେଯ ପଡିଥାଏ। ଶ୍ରୀଜଗନ୍ନାଥ ଙ୍କ ପାଖରୁ ଆଜ୍ଞାମାଳ ପାଇ ଶ୍ରୀବାମନ ଭଗବାନ ଖଟରେ ବିଜେ କରି ଥାନ୍ତି। ଏହାପରେ ତାଙ୍କ ସମ୍ମୁଖରେ ସମ୍ପୃକ୍ତ ଯାଗା ଘରର ସେବକ ମାନେ ବଳୀଙ୍କ ପାତାଳ ଗମନ ପ୍ରସ୍ତାବ ଆଗତ କରିଥାନ୍ତି।ଏହାପରେ ଶୀତଳ ଭୋଗ ବଢି ଶ୍ରୀବାମନ ଭଗବାନ ଦକ୍ଷିଣ ଘରକୁ ବିଜେ କରି ଥାନ୍ତି। ଏହାପରେ ଦୈନଦିନ ନୀତି ବଢିଥାଏ। ଶ୍ରୀଜୀଉ ମାନଙ୍କ ଏହି ପବିତ୍ର ବେଶ ଦର୍ଶନ କଲେ ପୁନର୍ଜନ୍ମ ଆଉ ମିଲିନଥାଏ ବୋଲି ଲୋକ ବିଶ୍ୱାସ ରହିଛି।
