ଆଜି ପବିତ୍ର ବାରୁଣୀ ସ୍ନାନ ! ସ୍ନାନ ପରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଶ୍ରାଦ୍ଧ ଦାନର ବିଧି ପ୍ରଚଳିତ
ବାରୁଣୀ ଏକ ପବିତ୍ର ସ୍ନାନଯୋଗର ନାଁ ଏବଂ ଜଳର ଅଧିଷ୍ଠାତା ଦେବତା ବରୁଣଙ୍କୁ ଏହା ଉତ୍ସର୍ଜିତ । ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଏହି ସ୍ନାନ ଯାତ୍ରା ପାଳିତ ହୁଏ । ବାରୁଣୀ ସ୍ନାନ ପାଇଁ ପବିତ୍ର ବୈତରଣୀ ନଦୀ ପ୍ରସିଦ୍ଧ । କଥିତ ଅଛି ଭଗବାନ ବ୍ରହ୍ମା ଯାଜପୁର ଠାରେ ଏକ ବିଶାଳ ଯଜ୍ଞର ଆୟୋଜନ କରିଥିଲେ । ଯଜ୍ଞସ୍ଥଳୀରେ ସମସ୍ତ ଦେବଦେବୀ, ଦେବର୍ଷି, ମହର୍ଷି, ବ୍ରହ୍ମର୍ଷି ପ୍ରମୁଖ ସମବେତ ହୋଇଥିଲେ । ବ୍ରହ୍ମାଙ୍କ ପ୍ରାର୍ଥନା ଅନୁସାରେ ଗଂଗା ସ୍ୱର୍ଗରୁ ବାହାରି ଗୋନାସିକା ପର୍ବତରେ ଅବତରଣ କଲେ । ସେଠାରୁ ବୈତରଣୀ ନଦୀ ରୂପରେ ପ୍ରକଟିତା ହୋଇ ବ୍ରହ୍ମାଙ୍କ ଯଜ୍ଞସ୍ଥାନକୁ ନିଜର ପବିତ୍ର ଜଳରେ ଧୌତ କରିଥିଲେ । ବ୍ରହ୍ମାଙ୍କ ସମେତ ସମସ୍ତ ଦେବତା ବୈତରଣୀର ଶୁଭ ପ୍ଲାବନରେ ସ୍ନାନ କରିଥିଲେ । ଯଜ୍ଞଭୂମିରେ ଗଙ୍ଗାଙ୍କ ଶୁଭ ପ୍ଲାବନ ହିଁ ହିନ୍ଦୁମାନଙ୍କ ମଧ୍ୟରେ ପବିତ୍ର ବାରୁଣୀ ସ୍ନାନ ଭାବେ ପରିଚିତ ହୋଇଆସିଛି । ତେବେ, ବାରୁଣୀ ସ୍ନାନର ନିଦ୍ଦିଷ୍ଟ ସ୍ଥାନକୁ ନେଇ ଭିନ୍ନ ମତ ରହିଛି । ବାରୁଣୀ ସ୍ନାନ ପରେ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଶ୍ରାଦ୍ଧ ଦାନର ବିଧି ପ୍ରଚଳିତ ।
ମନୁଷ୍ୟର ଦୈନନ୍ଦିନ ନିତିଦିନିଆ ଜୀବନରେ ଛଅଟି କର୍ମ ଭିତରେ ସ୍ନାନ କର୍ମରୁ ଗୁରୁତ୍ୱ ବିଧାନ କରାଯାଇଛି । ଏହା ଶରୀରକୁ ଶୁଦ୍ଧ ସହ ମନ ପବିତ୍ର କରିଥାଏ । ହିନ୍ଦୁ ଧର୍ମ ବିଚାରରେ ସ୍ନାନ ହେଉଛି ତିନି ପ୍ରକାରର । ଯାହା ଦୈନିକ ସ୍ନାନ, ନିତ୍ୟ ସ୍ନାନ, ନିଜର ନିକଟ ସମ୍ପର୍କୀୟଙ୍କ ପରଲୋକ ଜନିତ ଶୁଦ୍ଧିକ୍ରିୟା ସ୍ନାନ ହେଉଛି ନୈମିତ ସ୍ନାନ ଓ ମାନସିକ ପୂରଣ ପାଇଁ ଯେଉଁ ସ୍ନାନଟି ହୋଇଥାଏ ତାହା ହେଉଛି କାମ୍ୟା ସ୍ନାନ । ଯଥାର୍ଥରେ ଶାସ୍ତ୍ରରେ ଉଲ୍ଲେଖ ରହିଛି – “ଗଙ୍ଗାଶ୍ଚ ଯମୁନାଶ୍ଚୈବ ଗୋଦାବରୀ ସରସ୍ୱତୀ । ନର୍ମଦେ ସିନ୍ଧୁ କାବେରୀ ଜଳଽସ୍ମିନ୍ ସନ୍ନିଧିଂ କୁରୀ ।”
ଭାରତର ସବୁଠାରୁ ପବିତ୍ରତମ ନଦୀ ଗଙ୍ଗା । କଥିତ ଅଛି ଧରିତ୍ରୀ, ପାତାଳ ଓ ଆକାଶ ତିନିଲୋକରେ ଗଙ୍ଗା ପ୍ରବାହିତ । ଏହାକୁ ଅନେକ ନାମରେ ସମ୍ବୋଧିତ କରାଯାଏ ଯଥା ଆକାଶଗଙ୍ଗା, ତ୍ରିପଥ ଗଙ୍ଗା, ପାତାଳ ଗଙ୍ଗା, ଜାହ୍ନବୀ, ମନ୍ଦାକିନୀ, ହେମବତୀ ଭାଗିରଥି ଓ ଅଳକାନନ୍ଦା । ଗଙ୍ଗାରେ ସ୍ନାନକଲେ ପାପ କ୍ଷୟ ହୋଇଥାଏ ଏହି ବିଶ୍ୱାସ ରହିଛି ଏହାସହ ମୃତ୍ୟୁପରେ ଚିତାଭସ୍ମକୁ ଗଙ୍ଗାରେ ବିସର୍ଜିତ କଲେ ମୃତ ଆତ୍ମା ମୋକ୍ଷ ପ୍ରାପ୍ତ ହୋଇଥାଏ । ସେହିପରି ପଞ୍ଚାମୃତ ରୂପରେ ଗଙ୍ଗାଜଳକୁ ଅମୃତ ବୋଲି ମାନିଥାନ୍ତି ଏହା ଭଗବାନ ଶ୍ରୀସତ୍ୟସାଇବାବାଙ୍କ ଷୋଡ଼ଶ ଉପଚାର ପୂଜା ନିତ୍ୟକର୍ମ ପୁସ୍ତକରେ ଉଲ୍ଲେଖ ରହିଛି । ମକର ସଂକ୍ରାନ୍ତି, କୁମ୍ଭମେଳା ଓ ଗଙ୍ଗା ଦଶହରାରେ ଗଙ୍ଗାରେ ସ୍ନାନ କଲେ ସମସ୍ତଙ୍କ ପାପକ୍ଷୟ ହୁଏ ।
ପଶ୍ଚିମ ବଙ୍ଗର ଦକ୍ଷିଣ-ପୂର୍ବ ଭାଗରେ ଥିବା ଗଙ୍ଗା ସାଗରରେ ପ୍ରୟାଗ ସ୍ନାନ ଯାତ୍ରା ହୋଇଥାଏ । ମହାଭାରତରେ ଏହି ପ୍ରୟାଗରାଜ ଓ ମୋକ୍ଷ ପ୍ରାପ୍ତି ସମ୍ବନ୍ଧରେ ଉଲ୍ଲେଖ ଅଛି – ତ୍ରିବେଣୀ ମାଧବଂ ସୋମଂ ଭରଦ୍ୱାଜଂ ଚ ବାସୁକିମ୍ । ବନ୍ଦେଽକ୍ଷୟବର୍ଣ୍ଣଂ ଶେଷଂ ପ୍ରୟାଗଂ ତୀର୍ଥନାୟକମ୍ । । ପଦ୍ମ ପୁରାଣ ଅନୁସାରେ ମାଘ ମାସରେ ପ୍ରୟାଗ ସ୍ନାନ କରିବା ଖୁବ୍ ପବିତ୍ର । ସେହିପରି ବ୍ରହ୍ମ ପୁରାଣ ଅନୁସାରେ ଅଶ୍ୱମେଧ ଯଜ୍ଞ କରିବା ସହ ପ୍ରୟାଗ ସ୍ନାନ ସମାନ ବୋଲି ଉଲ୍ଲେଖ ରହିଛି । ମତ୍ସ୍ୟ ପୁରାଣ ଅନୁସାରେ ୧୦୦ କୋଟିରୁ ଅଧିକ ମନ୍ଦିର ତୀର୍ଥ କରିବାରେ ଯେଉଁ ଫଳ ପ୍ରାପ୍ତି ହୁଏ କେବଳ ପ୍ରୟାଗ ସ୍ନାନରେ ସେହି ଫଳ ମିଳିଥାଏ । ସେହିପରି ଗଙ୍ଗା-ଯମୁନା-ସରସ୍ୱତୀର ସଙ୍ଗମସ୍ଥଳରେ କୁମ୍ଭମେଳା ହରିଦ୍ୱାର, ନାସିକ, ପ୍ରୟାଗ ଓ ଉଜ୍ଜୈନୀରେ ହୋଇଥାଏ । ଏହି ଅମାବାସ୍ୟା ମେଳାରେ ସ୍ନାନକୁ ପୂର୍ଣ୍ଣ କୁମ୍ଭ କୁହାଯାଏ । ପ୍ରତି ବାରବର୍ଷରେ ପୂର୍ଣ୍ଣକୁମ୍ଭ ଓ ପ୍ରତି ଛଅବର୍ଷରେ ଅର୍ଦ୍ଧକୁମ୍ଭ ହୋଇଥାଏ । ସେହିପରି କାବେରୀ ନଦୀ ଭାରତର ଦକ୍ଷିଣାଞ୍ଚଳର ପବିତ୍ର ନଦୀରେ ବୁଡ଼ ପକାଇ ଶିବଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତ ହୋଇଥାଏ । ସେହିପରି ଗୋଦାବରୀ ନଦୀରେ ସ୍ନାନ କରି ସୌମେଶ୍ୱର ଓ କପାଳେଶ୍ୱର ଶିବମନ୍ଦିରରେ ଭଗବାନ ଶିବଙ୍କୁ ଦର୍ଶନ କରାଯାଏ । ସେହିପରି ଗୁଜୁରାଟର ତାପ୍ତି ନଦୀ କୂଳରେ ସୌରଗ୍ରହଣ ଅବସରରେ ପବିତ୍ର ବୁଡ଼ ପକାଯାଇଥାଏ । ସେହିପରି ଅନ୍ୟ ଏକ ତ୍ରିବେଣୀ ସଙ୍ଗମ ସ୍ଥାନ ହେଉଛି ଭାଗମନ୍ଦଳା ଏହା କାବେରୀ, କନିକୀ ଓ ମିଥିକୀୟ ନଦୀର ତିନୋଟି ସଙ୍ଗମକୁ ବୁଝାଯାଇଥାଏ ।
ଭାରତୀୟ ଆଧ୍ୟାତ୍ମିକ ବିଚାରଧାରାରେ ସମ୍ପୂର୍ଣ୍ଣ ଶରୀରରେ ଭସ୍ମ ସ୍ନାନକୁ ଆଗ୍ନେୟମ କୁହାଯାଏ । ଆଉ ବରୁନମ୍ ହେଉଛି ମନ୍ତ୍ର ସହିତ ନଦୀ, ହ୍ରଦ ଓ ନିଜ ଘରେ ସ୍ନାନ କରିବା । ବ୍ରହ୍ମ ସ୍ନାନରେ ସ୍ନାନମନ୍ତ୍ର ଅପୋହିଷ୍ଠ ମନ୍ତ୍ରରେ ବକ୍ଷ ଦେଶରେ କେବଳ ଜଳ ସିଂଚନ କରିବା । ସନ୍ଧ୍ୟା ସମୟରେ ଗାଇଙ୍କ ଖୁରାରେ ଧୂଳି ଉଡି ଅନେକ ବ୍ୟକ୍ତିଙ୍କ ଦେହରେ ଲାଗିଯାଏ ଏହାକୁ ବାୟାବ୍ୟ ସ୍ନାନ କୁହାଯାଏ । ଆଉ ସେହିପରି ଉତରାୟଣ ଅବସରରେ ସ୍ନାନକୁ ଦିବ୍ୟ ସ୍ନାନ କୁହାଯାଏ ଓ ଯେତେବେଳେ ସୂର୍ଯ୍ୟଙ୍କ କିରଣ ଥାଏ ବର୍ଷା ଝିପିଝିପି ଝରୁଥାଏ ସେ ସମୟରେ ସ୍ନାନକୁ ଦିବ୍ୟ ସ୍ନାନ କୁହାଯାଏ । ସେହିପରି ଓଡ଼ିଆ ଆଧ୍ୟାତ୍ମିକ ଓ ଜନଜୀବନରେ ଚନ୍ଦ୍ରଭାଗାରେ ସ୍ନାନ ଏକ ଅବିସ୍ମରଣୀୟ ଅନୁଭୂତି ।
ମାଘ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ସ୍ନାନ ଓ ସୂର୍ଯ୍ୟପୂଜା ଚନ୍ଦ୍ରଭାଗା ତୀର୍ଥ ମହାତ୍ମ୍ୟକୁ ଆହୁରି ଆଧ୍ୟାତ୍ମିକମୟ କରିଥାଏ । ଭୌଗୋଳିକ ତଥ୍ୟ ଅନୁଯାୟୀ ପୂର୍ଣ୍ଣତୋୟା ପ୍ରାଚୀ ନଦୀର ଅଂଶବିଶେଷ ଭାବରେ ଚିତ୍ରୋତ୍ପଳା, କୁଶଭଦ୍ର ଓ ଚନ୍ଦ୍ରଭାଗାରେ ସଙ୍ଗମ ହୋଇ ବଙ୍ଗୋପସାଗରରେ ମିଶିଥିବାର ପ୍ରମାଣ ମିଳେ । ଯାହାକି ଏହି ତିନି ନଦୀ ଗୁପ୍ତଗଙ୍ଗା, ଯମୁନା ଓ ସରସ୍ୱତୀ ଭାବରେ ଆଖ୍ୟାୟିତ । ସେହିପରି ରାଉରକେଲା ସନ୍ନିକଟ ବେଦବ୍ୟାସ ଠାରେ ଶଙ୍ଖନଦୀ, କୋଏଲ ନଦୀ ଓ ସରସ୍ୱତୀର ମିଳନସ୍ଥଳୀ ଭାବେ ତ୍ରିବେଣୀ ସଙ୍ଗମ ପରିଚିତ । ଛତିଶଗଡ଼ରୁ ଆସିଥିବା ଶଙ୍ଖନଦୀ, ଝାଡ଼ଖଣ୍ଡରୁ କୋଏଲ ନଦୀ ଓ ବେଦବ୍ୟାସ ପାହାଡ଼ ଖୋଲରୁ ନିର୍ଗତ ହେଉଥିବା ଝରଣାକୁ ସରସ୍ୱତୀ ନଦୀ ଭାବେ ପରିଚିତ । ଏହି ତିନୋଟି ନଦୀର ମିଶ୍ରଣ ସ୍ଥଳ ହେଉଛି ବେଦବ୍ୟାସ । ପବିତ୍ର ନଦୀ ସ୍ନାନରେ ରୋଗ ନିବାରଣ ହୋଇଥିବା ନେଇ ଭିନ୍ନ ଭିନ୍ନ ପୌରାଣିକ କଥନିକାରେ ଉଲ୍ଲେଖ ରହିଛି ।
ଯମୁନା ନଦୀ ଜଳ ଗଙ୍ଗାଜଳ ପରି ଭାରି ଓ ପରମ ପିତହର ହୋଇଥାଏ ଯାହାକି ରୁକ୍ଷ, ବାତକାରକ ସେହିପରି ନର୍ମଦାର ଜଳ ହେଉଛି ଲଘୁ ଶୀତଳ ପ୍ରଶସ୍ଥ ଓ ଅତିସ୍ୱଚ୍ଛ । ନର୍ମଦାରେ ସ୍ନାନ ଦ୍ୱାରା ପିତ ଓ କଫ ନାଶ ସହ ସର୍ବରୋଗର ହରଣ ହେବାର ବିଶ୍ୱାସ ରହିଛି । ଜଠରାଗ୍ନିବର୍ଦ୍ଧକ ହେଉଛି ପବିତ୍ର ଗୋଦାବରୀର ଜଳ । ଏହା କୁଣ୍ଡିଆ, କୁଷ୍ଠରୋଗକୁ ନାଶ କରିବାରେ ସକ୍ଷମ ହୋଇଥାଏ । ଏହି ନଦୀର ଜଳ ବାତ, ପିତ, ହର ଗୁଣ ରଖିବା ସଙ୍ଗେ ଏହା ପାପନାଶକ, ତ୍ରିଦୋଷହର ଓ ତୃଷ୍ଣା ନିବାରଣ କରିଥାଏ । ସେହିପରି କୃଷ୍ଣାବେଣୀ ନାମକ ନଦୀର ଜଳ ଶୀତଳ, ରୁକ୍ଷ ଓ ଲଘୁ । କାବେରୀ ନଦୀର ଜଳ ପଥ୍ୟ, ବଳବୃଦ୍ଧିକାରକ ଓ ଆମ ନାଶକ । ଏହାସହ ନଦୀ ସ୍ନାନର ଭିନ୍ନ ଆଧ୍ୟାତ୍ମିକ ବିଶ୍ୱାସ ଭରି ରଖିଥାଏ । ବୋଲବମ୍ ଭକ୍ତମାନେ ଶିବଙ୍କୁ ଜଳ ସମର୍ପଣ ପାଇଁ ପବିତ୍ର ନଦୀଘାଟରୁ ବୁଡ଼ ପକାଇ ପାଦରେ ଯାତ୍ରା କରିଥାନ୍ତି ।
ଧର୍ମ ମାସ କାର୍ତିକରେ ବୁଡ଼ ପକାଇ ସ୍ନାନ, ତର୍ପଣ ସହ ପିତୃପୁରୁଷଙ୍କୁ ପିଣ୍ଡଦାନ ଦିଆଯାଇଥାଏ । ପୁରୀର ନରେନ୍ଦ୍ର ପୁଷ୍କରଣୀ, ଭୁବନେଶ୍ୱରର ବିନ୍ଦୁସାଗର କ୍ଷେତ୍ରରେ ପିଣ୍ଡଦାନ ଦିଆଯାଇଥାଏ । ସେହିପରି ହବିଷ୍ୟାଳୀମାନେ ସ୍ନାନ କରି ରାଇଦାମୋଦର ପୂଜା କରନ୍ତି । ପଞ୍ଚୁକ ପାଞ୍ଚଦିନ ପ୍ରତ୍ୟୁଷରୁ ବୁଡ଼ ପକାଯାଇ ଦେବାଦେବୀଙ୍କ ଦର୍ଶନ କରାଯାଏ । ସେହିପରି ପବିତ୍ର ଗଙ୍ଗା ଓ ଯମୁନା ପରି ପୁରୀର ମହୋଦଧି ସ୍ନାନ ମଧ୍ୟ ପବିତ୍ର । ଏହି ମହୋଦଧିକୁ ତୀର୍ଥରାଜ କୁହାଯାଏ । ଲକ୍ଷ ଲକ୍ଷ ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ମହୋଦଧିରେ ସ୍ନାନ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି । ସେହିପରି ମକର ସଂକ୍ରାନ୍ତି ଅବସରରେ ଯାଜପୁରର ବୈତରଣୀ ନଦୀ କୂଳରେ ଦଶାଶ୍ୱମେଧଘାଟରେ ବାରୁଣୀ ସ୍ନାନ ହୋଇଥାଏ । ଏତଦ୍ ବ୍ୟତୀତ ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ସନ୍ନିକଟ ଅଟ୍ରି ଉଷ୍ଣପ୍ରସ୍ରବଣରେ ଲୋକବିଶ୍ୱାସକୁ ନେଇ ଯେଉଁମାନେ ସନ୍ତାନ ଆବଶ୍ୟକ କରିଥାନ୍ତି ସେମାନେ ପ୍ରତିବର୍ଷ ଏହି ଦିନରେ ଉଷ୍ଣପ୍ରସ୍ରବଣ କୁଣ୍ଡରେ ବୁଡ଼ ପକାଇ ତାହା ଭିତରେ ଗୁଆ ଖୋଜାଯାଏ । ଅଧିଶ୍ୱର ହଟକେଶ୍ୱରଙ୍କୁ ଦର୍ଶନ କରି ସନ୍ତାନ ପ୍ରାପ୍ତି ନିମିତ ଗୁଆ ପାଇଥିବା ମହିଳାମାନେ ପୂଜାର୍ଚ୍ଚନା କରନ୍ତି । ସେହିପରି ଉତରପ୍ରଦେଶର ଇତିହାସ ଓ ପୌରାଣିକ କିମ୍ବଦନ୍ତୀର କ୍ଷେତ୍ର ମଥୁରାରେ ଥିବା କୃଷ୍ଣକୁଣ୍ଡ ଓ ରାଧାକୁଣ୍ଡରେ ସ୍ନାନ ତର୍ପଣ କାର୍ଯ୍ୟ କରାଯାଏ । ନିଃସନ୍ତାନ ଦମ୍ପତିମାନେ କାର୍ତିକ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି କୁଣ୍ଡରେ ସ୍ନାନ କରି ପୂଜାର୍ଚ୍ଚନା କରିଥାନ୍ତି । ଆଧ୍ୟାତ୍ମିକ ଚେତନା, ବିଶ୍ୱାସ ଓ ଲୋକକଥାକୁ ନେଇ ପବିତ୍ର ସ୍ନାନ ହେଉଛି ହିନ୍ଦୁ ଆଚାର ବିଚାର ପଦ୍ଧତିର ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତନ ।
