ଆଜି ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି ଶାନ୍ତି ସ୍ତୂପ, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଧୁମ୍ଧାମ୍ରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ଏଥିପାଇଁ ନୂତନ ରୂପରେ ସଜେଇ ହୋଇଛି ଧଉଳି।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ। ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁ ସନ୍ଥ। ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ଯାଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତିସ୍ତୁପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦୁଇ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି।
