ଆଜି କନୌଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ, ନିର୍ବାଚନୀ ସଭାକୁ ସମ୍ବୋଧିତ ସହ କରିବେ ରାଲି
ଲକ୍ଷ୍ନୌ : ଇତିମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୨ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଛି । ଆଗାମୀ ଦିନରେ ଆହୁରି ୫ଟି ପର୍ଯ୍ୟାୟରେ ମତଦାନ ହେବ । ଏହାରି ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଆସନ୍ତା ୨୦ ତାରିଖରେ ୩ୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ପ୍ରସ୍ତୁତି ଜୋରଦାର କରିଦେଇଛନ୍ତି । ୩ୟ ପର୍ଯ୍ୟାୟରେ ୧୬ଟି ଜିଲାର ୫୯ଟି ଆସନରେ ମତଦାନ ହେବ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କନୌଜ ଗସ୍ତ କରିବେ । ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଯୋଗୀ ଆଜି ୧୧ଟା ୧୫ରେ ସୋରୋ ତୀର୍ଥ ଧାମର ମେଳଣ ପଡ଼ିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।
ସେ ମଙ୍ଗଳବାର କନୌଜରେ ମଧ୍ୟ ରାଲି କରିବେ । ଅପରାହ୍ନ ୩ଟା ୪୫ରେ କନୌଜ ପହଞ୍ଚି ବୋର୍ଡିଙ୍ଗ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ । ସୂଚନା ଯେ, ଉତ୍ତର ପ୍ରଦେଶର ୨ୟ ପର୍ଯ୍ୟାୟରେ ୯ଟି ଜିଲା ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଳ, ରାମପୁର, ଅମରୋହା, ବଦାୟୁ, ଶାହଜହାଁପୁର ଓ ବରେଲିର ୫୫ଟି ଆସନରେ ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ୬୨.୮୨ ପ୍ରତିଶତ ମତଦାତା ମତଦେୟ ସ୍ଥଳକୁ ଆସି ଭୋଟ ଦେଇଥିଲେ । ଏହି ପର୍ଯ୍ୟାୟରେ ୫୮୬ ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୬୯ ଜଣ ହେଉଛନ୍ତି ମହିଳା । ଗତ ୧୦ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା । ୧୧ଟି ଜିଲାର ୫୮ଟି ଆସନରେ ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା ।
