ଆଜି ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ମମତା ବାନାର୍ଜୀ
ଭୁବନେଶ୍ୱର : ଆଜି ଅପରାହ୍ନରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଓଡ଼ିଶା ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ନେଇ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। ମମତା ଆଜି ମଧ୍ୟ ପୁରୀରେ ରହିବେ । ସେହିପରି ଆସନ୍ତାକାଲି ସେ ଭୁବନେଶ୍ୱର ଯାଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।
ବୁଧବାର ଅପରାହ୍ନ ୪ଟାରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ସେ ବଙ୍ଗାଳି ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅତିଥି ଭବନର ଭିତିପ୍ରସ୍ତର ସ୍ଥାପନ କରିବେ । ଅବଶିଷ୍ଟ ସମୟ ଭୁବନେଶ୍ୱରରେ କାଟିବେ । ପୁରୀରେ ରହଣି କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୩ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଏହି ଗସ୍ତକାଳରେ ସେ ଓଡ଼ିଶାବାସୀ ଭଲ ଅଛନ୍ତି ବୋଲି ନିଜ ଭାଷାରେ ପଚାରିଛନ୍ତି । ପ୍ରଭୁ ଶ୍ରୀଜଗନାଥଙ୍କୁ ପୂଜାର୍ଚ୍ଚନା କରିବାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ’ଣ ଆଲୋଚନା କରିବେ ପ୍ରଶ୍ନର ଉତରରେ ସେ କହିଛନ୍ତି ନବୀନ ବାବୁ ଜଣେ ବରିଷ୍ଠ ରାଜନେତା । ତାଙ୍କୁ ସାକ୍ଷାତ କରିବି ବୋଲି କହିଛନ୍ତି । ଭୁବନେଶ୍ୱରରେ ପହଂଚିଲା ପରେ ମମତା ବାନାର୍ଜୀଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ୱାଗତ ଜଣାଇଥିଲେ । ବିମାନବନ୍ଦରରୁ ମମତା ବାନାର୍ଜୀ ସିଧାସଳଖ ସଡ଼କପଥରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ସେ ଆଜି ଓ ବୁଧବାର ପୁରୀରେ ରାତ୍ରିଯାପନ କରିବେ । ୨୩ ତାରିଖ ଦିନ ଅପରାହ୍ନ ସାଢ଼େ ୪ଟାରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଏହା ପରେ ସେହିଦିନ ସନ୍ଧ୍ୟା ୬ରେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ଫେରିଯିବେ ।
ସୂଚନା ଯେ, ବଙ୍ଗାଳି ପର୍ଯ୍ୟଟକଙ୍କ ପାଇଁ ପୁରୀରେ ବିଶାଳ ଅତିଥି ଭବନ ନିର୍ମାଣ ହେବ । ଏଥି ପାଇଁ ଓଡ଼ିଶା ସରକାର ବଳିଆପଣ୍ଡା ନିକଟରେ ଜମି ଯୋଗାଇ ଦେଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ଭବନ ନିର୍ମିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ଏଭଳି ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଥିବାରୁ ଶ୍ରୀମତୀ ବାନାର୍ଜୀ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିବେ ବୋଲି କୁହାଯାଉଛି ।
