ସମ୍ମିଳିତ ଉଦ୍ୟମକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ସ୍ତରୀୟ କାର୍ମଶାଳା ଜନକଲ୍ୟାଣ ଯୋଜନା ଗୁଡିକର ସଫଳତା ପାଇଁ ମିଳିତ ଉଦ୍ୟମ ଲୋଡା
ବାରିପଦା : ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ସରକାରୀ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ସମାନନ୍ୱୟ ବଢାଇବା ପାଇଁ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଡଃ ରୂପଭାନୁ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଏଡିଏମଓ ଫେମେଲି ୱେଲଫେୟାର ଡଃ ସୁନନ୍ଦା ମିଶ୍ର, ଡିପିଏଚଓ ଡଃ ଚାରୁବାଳା ରଥ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡଃ ଏମଡି ନୁରୁଲ ହସନ, ଜିଲ୍ଲା କୁଷ୍ଠରୋଗ ଅଧିକାରୀ ଡଃ ଶାନ୍ତନୁ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ମାଳା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ନବକୀଶୋର ଗିରି, ଜିଲ୍ଲା କଲ୍ଯାଣ ଅଧିକାରୀ ସୁନାରାମ ସିଂ, ଆମେରିକା ଇଣ୍ଡିଆ ଫାଉଣ୍ଡେସନର ରାଜ ଶର୍ମା ପ୍ରମୁଖ ସମ୍ମନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ୨୬ ଟି ବ୍ଲକରୁ ବିଭିନ୍ନ ବିଭାଗର ୨୦୦ ରୁ ଉର୍ଦ୍ଧ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିବା ବେଳେ, ଏହି କାର୍ମଶାଳା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଆୟୋଜିତ ହୋଇଥିଲା । ଜିଲ୍ଲାରେ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ବିକାଶ, ଅନୁସୂଚିତ ଜାତି ଓ ଉପଜାତି ଙ୍କ ବିକାଶ ପାଇଁ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ସହଭାଗୀତା ବଢାଇବା ଓ କାର୍ଯ୍ୟକ୍ରମ କୁ ସୁଦୃଢ କରିବା ଉପରେ ସଭାରେ ଆଲୋକପାତ କରଯାଇଥିଲା । ବିଭିନ୍ନ ବିଭାଗରୁ ଆସିଥିବା ପ୍ରତିନିଧି ତଥା ଅଧିକାରୀ ମାନେ ନିଜନିଜ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ଅଗ୍ରଗତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ପ୍ରଭୁ ପ୍ରତ୍ୟନ୍ତ ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଏଡିପିଏଚଓ ଯୋଗେନ୍ଦ୍ର ନାଥ ଦେହୁରି ଧନ୍ୟବାଦ ଅର୍ପଣ କରିଥିଲେ ।
