ଦେଶରେ କରୋନା ଭାଙ୍ଗିଲା ୮ ମାସର ରେକର୍ଡ, ଆଉ ୩,୧୭,୫୩୨ ସଂକ୍ରମିତ ଚିହ୍ନଟ ଓ ୪୯୧ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଦେଶରେ ଲଗାତର ଦ୍ରୁତ ଗତିରେ କରୋନା ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ସେହିପରି କରୋନାର ନୂଆ ଭାରିଆଂଟ ଓମିକ୍ରନ୍ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତମାନ ସୁଦ୍ଧା ୯,୨୮୭ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୧୭ ହଜାର ୫୩୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୯୧ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୨୩,୯୯୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୩,୦୫୧ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ବର୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧୬.୪୧ ପ୍ରତିଶତ ରହିଛି ।
ସେପଟେ ଦେଶରେ ବର୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୮୨ ଲକ୍ଷ ୧୮ ହଜାର ୬୭୩ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୫୮ ଲକ୍ଷ ୭ ହଜାର ୨୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ସମୟରେ ଦେଶରେ ମୋଟ ୧୯ ଲକ୍ଷ ୨୪ ହଜାର ୫୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୭ ହଜାର ୬୯୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୯ ପର୍ଯ୍ୟନ୍ତ ସାରା ଦେଶରେ ୧୫୯ କୋଟି ୬୭ ଲକ୍ଷ ୫୫ ହଜାର ୮୭୯ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୭୩ ଲକ୍ଷ ୩୮ ହଜାର ୫୯୨ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୦ କୋଟି ୯୩ ଲକ୍ଷ ୫୬ ହଜାର ୮୩୦ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଂଟା ମଧ୍ୟରେ ୧୯ ଲକ୍ଷ ୩୫ ହଜାର ୧୮୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୬ ପ୍ରତିଶତରୁ ଅଧିକ ରହିଛି ।
