ରାଜ୍ୟରେ ଆଉ ୪୩୩ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୬୪ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ମଙ୍ଗଳବାର ୨୩ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୪ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୯ହଜାର ୨୬୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪ ଜଣ ଥିବାବେଳେ ବାଲେଶ୍ୱରରୁ ୮ଜଣ, ବରଗଡ଼ରୁ ୬ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୩୬ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୧୪ଜଣ, ଯାଜପୁରରୁ ୮ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ, ଖୋର୍ଦ୍ଧାରୁ ୨୦୭ଜଣ, ମୟୁରଭଞ୍ଜରୁ ୧୫ଜଣ, ନୟାଗଡ଼ରୁ ୪ଜଣ, ନୂଆପଡ଼ାରୁ ୯ଜଣ, ପୁରୀରୁ ୮ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୧୭ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୨ଜଣ ଓ ରାଜ୍ୟ ପୁଲରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୩୯ହଜାର ୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୨୬ହଜାର ୨୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪ହଜାର ୬୨୩ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୧୬,୪୭,୦୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।
