ରାଜ୍ୟରେ ଦିନକରେ ଆଉ ୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ, ୩ ମୃତ
୧୨ ଦିନ ପରେ ରାଜ୍ୟରେ ଖସିଲା ସଂକ୍ରମଣ, ଟ୍ରେଣ୍ଡ୍ ଆକଳନ ପାଇଁ ମାସେ ଅପେକ୍ଷା
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ଗ୍ରାଫ୍ ଖସିଛି। ଗତ ୨୪ ଘଣ୍ଟାରେ ୧୧ ହଜାରରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏବେ ବି ୧୦ ହଜାର ଟ୍ରେଣ୍ଡ୍ ରହିଛି। ଲଗାତାର ଦୀର୍ଘ ୧୨ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବା ପରେ ସଂକ୍ରମଣ କମିଛି। କିନ୍ତୁ ଏହାକୁ ନେଇ ଉତ୍ସାହିତ ହେବାର କୌଣସି କାରଣ ନାହିଁ ବୋଲି ସରକାର କହିଛନ୍ତି। ସେପଟେ ରାଜ୍ୟରେ ସମ୍ବେଦନଶୀଳ ଜିଲ୍ଲା ସଂଖ୍ୟା ବୃଦ୍ଧି ପାଉଛି।
ରାଜ୍ୟରେ ଦିନକରେ ଆଉ ୧୦୪୮୯ ନୂଆ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ତୁଳନାରେ ପ୍ରାୟ ୭୦୦ ମାମଲା ହ୍ରାସ ପାଇଛି। ସୋମବାର ସଂଗରୋଧରୁ ୬,୦୮୨ ଓ ସ୍ଥାନୀୟ ଅଞ୍ଚଳରୁ ୪,୪୦୭ କୋରୋନା ଆକ୍ରାନ୍ତ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୮୨ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨,୯୩୪ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମହାମାରୀ ରାଜ୍ୟରେ ଆଉ ୩ ଜୀବନ ନେଇଛି। ଭୁବନେଶ୍ବରରେ ୨ ଓ ଅନୁଗୁଳରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୪୮୪କୁ ବୃଦ୍ଧି ପାଇଛି। ଏହି ସମୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୪୪ ହଜାର ୪୦୧ ହୋଇଥିବା ବେଳେ ୭୫ ହଜାର ୭୯୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସେପଟେ ରାଜ୍ୟରେ ସମ୍ବେଦନଶୀଳ ଜିଲା ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। କୋରୋନାର ସକ୍ରୀୟ ମାମଲାରେ ପାଞ୍ଚ ଜିଲ୍ଲା (ଖୋର୍ଦ୍ଧା, କଟକ, ସମ୍ବଲପୁର, ସୁନ୍ଦରଗଡ ଓ ବାଲେଶ୍ୱର) ରେଡ୍ ଜୋନରେ ଅଛନ୍ତି। ସେହିପରି ୟେଲୋ ଜୋନ ଜିଲ୍ଲା ସଂଖ୍ୟା ୮କୁ ବୃଦ୍ଧି ପାଇଛି। କୋରାପୁଟ, ରାୟଗଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ମୟୂରଭଞ୍ଜ, ଯଜପୁର, ଜଗତସିଂହପୁର ଓ ପୁରୀରେ ସକ୍ରୀୟ ମାମଲା ହଜାରେ ଉପରେ ରହିଛି।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ସଂକ୍ରମଣର ଡବଲିଂ ଟାଇମ କମିଛି। ଗ୍ରୋଥ ରେଟ ବି କମିଛି। ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇଜେସନ ଅଛି। ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ସୋମବାର ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନାହିଁ। ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଦ୍ୱିତୀୟ ଲହର ପରି ଖୋର୍ଦ୍ଧା, ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି। ଆରଟି ପିସିଆର କୀଟ ପରି ଓମିସ୍ୟୁର କୀଟ ସବୁ ଜିଲାକୁ ବଣ୍ଟାଯିବ। ଔଷଧ ନିଗମ ଏନେଇ ତଥ୍ୟ ଦେବ।
