ଦେଶରେ ଆଉ ୩୦,୯୪୮ କରୋନା ସଂକ୍ରମିତ ଚିହ୍ନଟ ଓ ୪୦୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୦୦ ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ୪୦୦ଟପିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୫୨,୨୩,୬୧୨ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୮,୧୪,୮୯,୩୭୭ ଜଣଙ୍କୁ ଟିକା ଦିଆଯାଇସାରିଛି।
ରବିବାର ଗତ ୨୪ଘଣ୍ଟାରେ ୩୦ହଜାର ୯୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୦୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୮ହଜାର ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୪ଲକ୍ଷ ୨୪ହଜାର ୨୩୪ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୪ହଜାର ୩୬୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୬ଲକ୍ଷ ୩୬ହଜାର ୪୬୯ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୫୩ହଜାର ୩୯୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
