ଦେଶରେ ଆଉ ୩୬,୪୦୧ କରୋନା ସଂକ୍ରମିତ ଚିହ୍ନଟ ଓ ୫୩୦ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ତଳକୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓ ମୃତ୍ୟୁସଂଖ୍ୟା ୫୦୦ ଟପିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଏହା ମୋଟ ୫୦ କୋଟି ନମୁନା ପରୀକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସମଗ୍ର ଦେଶରେ କୋଭିଡ ଟିକାକରଣ ସଂଖ୍ୟା ୫୬,୬୪,୮୮,୪୩୩ କୁ ବୃଦ୍ଧି ପାଇଛି ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬,୩୬,୩୩୬ ଟିକା ଦିଆଯାଉଛି ।
ଶୁକ୍ରବାର ଗତ ୨୪ଘଣ୍ଟାରେ ୩୬ହଜାର ୪୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୩୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୯ହଜାର ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୩ଲକ୍ଷ ୨୨ହଜାର ୨୫୮ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୩ହଜାର ୦୪୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୫ଲକ୍ଷ ୨୫ହଜାର ୦୮୦ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୬୪ହଜାର ୧୨୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେହିପରି ସମଗ୍ର ଦେଶରେ ସକ୍ରିୟ ମାମଲାଗୁଡ଼ିକରେ କ୍ରମାଗତ ହ୍ରାସ ଘଟିଛି।
