ଦେଶରେ ଆଉ ୩୫,୪୯୯ କରୋନା ସଂକ୍ରମିତ ଚିହ୍ନଟ ଓ ୪୪୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଟପିଛି । ଦେଶରେ ଆରୋଗ୍ୟ ହାର ୯୭.୪୦% ରହିଛି। ସେହିପରି ଦୈନିକ ସଂକ୍ରମଣ ହାର ୨.୫୯% ଏବଂ ସାପ୍ତାହିକ ହାର ୨.୩୫% ରହିଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୪୮.୧୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେହି ସମୟ ମଧ୍ୟରେ ୫୦.୮୬ କୋଟି ପାନ ଟିକା ଦିଆଯାଇଛି। ସେହିପରି ଗତ ୨୪ଘଣ୍ଟାରେ ୧୬,୧୧,୫୯୦ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୦,୮୬,୬୪,୭୫୯ ଜଣଙ୍କୁ ଟିକା ଦିଆଯାଇସାରିଛି।
ସୋମବାର ଗତ ୨୪ଘଣ୍ଟାରେ ୩୫ହଜାର ୪୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୯ହଜାର ୬୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୯ଲକ୍ଷ ୬୯ହଜାର ୯୫୪କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୮ହଜାର ୩୦୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୧ଲକ୍ଷ ୩୯ହଜାର ୪୫୭ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୨ହଜାର ୧୮୮ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
