ଦେଶରେ ଆଉ ୭୦,୪୨୧ କରୋନା ସଂକ୍ରମିତ ଚିହ୍ନଟ ଓ ୩,୯୨୧ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୭୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ପୁଣି ୪ ହଜାର ନିକଟତର ହୋଇଛି। ବିଗତ ୭୨ ଦିନ ମଧ୍ୟରେ ଆଜି ସର୍ବନିମ୍ନ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
ସୋମବାର ଗତ ୨୪ଘଣ୍ଟାରେ ୭୦ହଜାର ୪୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୯୨୧ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧ଲକ୍ଷ ୧୯ହଜାର ୫୦୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୫ଲକ୍ଷ ୧୦ହଜାର ୪୧୦କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୭୪ହଜାର ୩୦୫ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୮୧ଲକ୍ଷ ୬୨ହଜାର ୯୪୭ଜଣ ସୁସ୍ଥ ହୋଇଥିବା ବେଳେ ୯ଲକ୍ଷ ୭୩ହଜାର ୧୫୮ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
