ଦେଶରେ ଆଉ ୮୦,୮୩୪ କରୋନା ସଂକ୍ରମିତ ଚିହ୍ନଟ ଓ ୩,୩୦୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୮୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩ ହଜାରୁ କିଛି ଅଧିକ ରହିଛି। ବିଗତ ୭୧ ଦିନ ମଧ୍ୟରେ ଆଜି ସର୍ବନିମ୍ନ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
ରବିବାର ଗତ ୨୪ଘଣ୍ଟାରେ ୮୦ହଜାର ୮୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୩୦୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୧ଲକ୍ଷ ୩୨ହଜାର ୦୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୪ଲକ୍ଷ ୩୯ହଜାର ୯୮୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୭୦ହଜାର ୩୮୪ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୮୦ଲକ୍ଷ ୪୩ହଜାର ୪୪୬ଜଣ ସୁସ୍ଥ ହୋଇଥିବା ବେଳେ ୧୦ଲକ୍ଷ ୨୬ହଜାର ୦୪୮ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
