କମୁଛି କରୋନା! ଦେଶରେ ଆଉ ୧୪,୧୪୮ ସଂକ୍ରମିତ ଓ ୩୦୨ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ମାମଲା ଧୀରେ ଧୀରେ କମ୍ ହେବାରେ ଲାଗିଛି । ସେପଟେ ମୃତ୍ୟୁ ମାମଲାରେ ହ୍ରାସ ବୃଦ୍ଧି ଦେଖାଦେଉଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୧୪୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୦୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧୬,୧୬୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ଦୈନିକ ପଜିଟିଭ୍ ରେଟ୍ ୧.୨୨ ପ୍ରତିଶତ ରହିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୨୮ ଲକ୍ଷ ୫୧ ହଜାର ୯୨୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୨ ଲକ୍ଷ ୧୯ ହଜାର ୮୯୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୪୮ ହଜାର ୩୫୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୧୨ ହଜାର ୯୨୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଫେବୃଆରୀ ୨୨ ପର୍ଯ୍ୟନ୍ତ ସାରା ଦେଶରେ ୧୭୬ କୋଟି ୫୨ ଲକ୍ଷ ୩୧ ହଜାର ୩୮୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ଲକ୍ଷ ୪୯ ହଜାର ୯୮୮ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୭୬ କୋଟି ୩୫ ଲକ୍ଷ ୬୯ ହଜାର ୧୬୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୫୫ ହଜାର ୧୪୭ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତରୁ କମ୍ ରହିଛି ।
