ପୁଣି କରୋନା ବିସ୍ଫୋରଣ! ଦେଶରେ ଆଉ ୧,୪୧,୯୮୬ କରୋନା ସଂକ୍ରମିତ ଚିହ୍ନଟ ଓ ୨୮୫ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ବିସ୍ଫୋରଣ । ଦ୍ରୁତ ବେଗରେ ବଢୁଛି ସଂକ୍ରମଣ। କରୋନା ସଂକ୍ରମଣ ପୁଣି ହୁ ହୁ ବଢୁଥିବା ବେଳେ ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଲକ୍ଷେ ଟପିବା ସହ ଦେଢ ଲକ୍ଷ ମୁହାଁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୧,୯୮୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି। ଶୁକ୍ରବାର ଠାରୁ ଶନିବାରର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୩,୬୮,୩୭୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା ୨୮୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୪୬୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୦,୮୯୫ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୪,୧୨,୭୪୦। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୭୨,୧୬୯। ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୩,୦୭୧ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୦,୬୧,୯୨,୯୦୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେହିପରି ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତ ଶୁକ୍ରବାର ସୁଦ୍ଧା ସମୁଦାୟ ୬୮,୮୪,୭୦,୯୫୯ଟି ନମୁନା ପରୀକ୍ଷା କରାଯାଇଛି। ଦେଶରେ ଦୈନିକ ପଜିଟିଭିଟି ହାର ୯.୨୮% ରହୁଛି।
