ଦେଶରେ ଆଉ ୧୦,୩୦୨ କରୋନା ସଂକ୍ରମିତ ଚିହ୍ନଟ ଓ ୨୬୭ ମୃତ
ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୦୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଗତ ଦିନକ ଭିତରେ ୨୬୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଫଳସ୍ବରୂପ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪୪ ଲକ୍ଷ ୯୯ ହଜାର ୯୨୫ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୪ ଲକ୍ଷ ୬୫ ହଜାର ୩୪୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଶନିବାର ପୂର୍ବାହ୍ନରେ ସୂଚନା ଦିଆଯାଇଛି। ଏହି ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ୧୧ ହଜାର ୭୮୭ ଜଣ ସଂକ୍ରମିତ ସୁସ୍ଥତା ଲାଭ କରିଛନ୍ତି। ଫଳସ୍ବରୂପ ମୋଟ ସଂଖ୍ୟା ୩ କୋଟି ୩୯ ଲକ୍ଷ ୯ ହଜାର ୭୦୮ରେ ପହଞ୍ଚିଯାଇଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧ ହଜାର ୭୫୨ ଅଧିକ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥାତ୍ ୫ ହଜାର ୭୫୪ ଜଣ ସଂକ୍ରମିତ କେବଳ କେରଳର ବାସିନ୍ଦା ଏବଂ ୪୯ ଜଣ ସଂକ୍ରମିତଙ୍କର ଦିନକ ଭିତରେ ରାଜ୍ୟରେ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ଦେଇଥିବା ସୂଚନାରୁ ଜଣାପଡ଼ିଛି।
ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୦.୩୬ ପ୍ରତିଶତ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି। ଇତିମଧ୍ୟରେ ୯୮.୨୯ ପ୍ରତିଶତ ସଂକ୍ରମିତ ଏହି ଭୂତାଣୁକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ଆହୁରି ଦେଶରେ ଦୈନିକ ସଂକ୍ରମଣ ହାର ଗତ ୪୭ ଦିନ ହେଲା ୨ ପ୍ରତିଶତ ତଳେ ଅର୍ଥାତ୍ ୦.୯୬ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର କ୍ରମାଗତ ୫୭ ଦିନ ଧରି ୨ ପ୍ରତିଶତ ତଳେ ଅର୍ଥାତ୍ ୦.୯୩ ପ୍ରତିଶତ ରହିଥିବା ମନ୍ତ୍ରାଳୟ ଦେଇଥିବା ସୂଚନାରୁ ସ୍ପଷ୍ଟ ହୋଇଛି। ସେହିପରି ଏବେ ଦେଶରେ ମାତ୍ର ୧ ଲକ୍ଷ ୨୪ ହଜାର ୮୬୮ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି, ଯାହାକି ଗତ ୫୩୧ ଦିନ ଭିତରେ ସର୍ବନିମ୍ନ ଓ ଏହା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୧ ପ୍ରତିଶତରୁ ବି କମ୍ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଦେଶରେ ୧୧୫.୭୯ କୋଟି ଲୋକ କୋଭିଡ୍ ଟିକାକରଣ ଅଭିଯାନରେ ସାମିଲ୍ ହୋଇସାରିଛନ୍ତି। ଆହୁରି ଦେଶରେ କୋଭିଡ୍ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରାଯାଉଥିବାରୁ ଅଦ୍ୟାବଧି ମୋଟ ୬୩ କୋଟି ୫ ଲକ୍ଷ ୭୫ ହଜାର ୨୭୯ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ଏଥି ମଧ୍ୟରୁ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୭୨ ହଜାର ୮୬୩ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ ସୂଚନା ଦିଆଯାଇଛି।
