ପୁଣି ବଢ଼ିଲା କରୋନା ମାମଲା : ଦେଶରେ ଆଉ ୧୧,୪୬୬ କରୋନା ସଂକ୍ରମିତ ଚିହ୍ନଟ ଓ ୪୬୦ ମୃତ
ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ହଜାର ୪୬୬ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୯୬୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୫୫ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ରବିବାର ୬,୪୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୦ ଲକ୍ଷ ୨୭ ହଜାର ୩୧୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୪ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୪,୩୬୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୩୧୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୯,୨୧,୩୧୨ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୭୧,୦୨୫ କୋରୋନାର ସକ୍ରିୟ ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୩ ଲକ୍ଷ ୮୮ ହଜାର ୩୪୬ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩୭ ଲକ୍ଷ ୮୭ ହଜାର ୦୪୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୩୯ ହଜାର ୬୮୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୧ ହଜାର ୮୪୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ନଭେମ୍ୱର ୯ ପର୍ଯ୍ୟନ୍ତ ସାରା ଦେଶରେ ୧୦୯ କୋଟି ୬୩ ଲକ୍ଷ ୫୯ ହଜାର ୨୦୮ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ଲକ୍ଷ ୬୯ ହଜାର ୧୩୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୧ କୋଟି ୮୫ ଲକ୍ଷ ୨ ହଜାର ୬୫୯ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ୭୮ ହଜାର ୭୨୮ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି ।
