ଦେଶରେ କୋରୋନାରୁ ଆଶ୍ବସ୍ତି : ଆଉ ୧୦,୧୨୬ ସଂକ୍ରମିତ ଚିହ୍ନଟ ଓ ୩୩୨ ମୃତ
ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ ହ୍ରାସ ଘଟିବାରେ ଲାଗିଛି । ଏହାସହ ମୃତ୍ୟୁ ମାମଲାରେ ମଧ୍ୟ ହ୍ରାସ ବୃଦ୍ଧି ଲାଗି ରହିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାର ୧୨୬ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୯୮୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୨୧୮୮ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ରବିବାର ୫,୪୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୦ ଲକ୍ଷ ୨୦ ହଜାର ୯୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୩,୯୭୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୧୩୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୯,୧୪,୯୯୩ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୭୧,୩୧୬ କୋରୋନାର ସକ୍ରିୟ ମାମଲା ରହିଛି ।
