ଦେଶରେ ଆଉ ୧୮,୧୩୨ କରୋନା ସଂକ୍ରମିତ ଚିହ୍ନଟ ଓ ୧୯୩ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ରୁ କମ୍ ରହିଛି। ରବିବାର କରାଯାଇଥିବା ନମୁନା ପରୀକ୍ଷାରୁ ସଂକ୍ରମିତ ଚିହ୍ନଟ ସଂଖ୍ୟା ୦.୬୭% ରହିଚି । ଏଥିସହିତ ଦେଶରେ ଦୈନିକ ସଂକ୍ରମଣ ହାର ୧.୭୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୫୩% ରହିଥିବା ଜଣାଯାଇଛି । ସେହି ସମୟରେ କରୋନାରୁ ଆରୋଗ୍ୟ ହାର ୯୮% ହୋଇଛି, ଯାହା ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ସର୍ବାଧିକ । ରବିବାର ସଂଧ୍ୟା ସୁଦ୍ଧା ମୋଟ ୫୮.୩୬ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ମୋଟ ୯୫.୧୯ କୋଟି ପାନ ଟିକା ଦିଆଯାଇଛି ।
ସୋମବାର ଗତ ୨୪ଘଣ୍ଟାରେ ୧୮ହଜାର ୧୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୧ହଜାର ୫୬୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୯ଲକ୍ଷ ୭୧ହଜାର ୬୦୭କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୦ହଜାର ୭୮୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୨ଲକ୍ଷ ୯୩ହଜାର ୪୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୨୭ହଜାର ୩୪୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
