ଦେଶରେ ଆଉ ୩୦,୫୭୦ କରୋନା ସଂକ୍ରମିତ ଚିହ୍ନଟ ଓ ୪୩୧ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ଶହରୁ ସାମାନ୍ୟ ଅଧିକ ରହିଛି।
ଗୁରୁବାର ଗତ ୨୪ଘଣ୍ଟାରେ ୩୦ହଜାର ୫୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୮ହଜାର ୩୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୩ଲକ୍ଷ ୪୭ହଜାର ୩୨୫କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୩ହଜାର ୯୨୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୨୫ଲକ୍ଷ ୬୦ହଜାର ୪୭୪ ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୪୨ହଜାର ୯୨୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୬,୫୭,୧୭,୧୩୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୬୪,୫୧,୪୨୩ ଡୋଜ୍ ଟିକା। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସମୁଦାୟ ୫୪,୭୭,୦୧,୭୨୯ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୫,୭୯,୭୬୧ଟି ନମୁନା।
