ବାଲେଶ୍ୱର : ଦିନକରେ ୧୨୯ ସଂକ୍ରମିତ ଓ ୧୬୮ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ନଲମଗଞ୍ଜରୁ ୩ଜଣ, ମାନସିଂବଜାରରୁ ୨, ଅଙ୍ଗାରଗଡ଼ିଆରୁ ୨ଜଣଙ୍କ ସମେତ ଆଜିମାବାଦ ଓ ଶୋଭାରାମପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ଦିନକରେ ବାଲେଶ୍ୱର ପୌରାଞ୍ଚଳରେ ମୋଟ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବାହାନଗା ବ୍ଲକରୁ ଜଣେ, ବାଲିଆପାଳରୁ ୧୩, ବସ୍ତାରୁ ୧୩, ଭୋଗରାଇରୁ ୨୧, ଜଳେଶ୍ୱରରୁ ୧୩, ଖଇରାରୁ ଜଣେ, ନୀଳଗିରରୁ ୨୬, ରେମୁଣାରୁ ୧୧, ସଦରରୁ ୧୮ ଓ ସୋର ବ୍ଲକରୁ ଜଣେ ବ୍ୟକ୍ତି ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଆଉ ୧୬୮ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନା ଯେ, ଜିଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୭,୪୮୦ରେ ପହଞ୍ଚଥିବା ବେଳେ ଏବେ ସୁଦ୍ଧା ୩୫,୯୧୧ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୧୩୮୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୧ଜଣ ଗୃହ ସଙ୍ଗରୋଧରେ ଏବଂ ୧୦୩ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ଘଂଟା ମଧ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା କରାଯାଇନଥିବା ବେଳେ ଜିଲାରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୦ରେ ସ୍ଥିର ରହିଥିବା ସରକାରୀ ୱେବସାଇଟରେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱରରେ ସାମୁହିକ ଟିକାକାରଣ ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୭ ଓ ୨୮ ଦୁଇ ଦିନ ପାଇଁ ହେବାକୁ ଥିବା ସ୍ୱତନ୍ତ୍ର ପର୍ଯ୍ୟାୟରେ ୪୫ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଦ୍ୱିତୀୟ ଡୋଜ ଓ ୧୮-୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପ୍ରଥମ ଡୋଜ ଟିକା ପ୍ରଦାନ କରାଯିବ । ଏଥିରେ ପ୍ରଥମ ଦିନରେ ୧୪,୯୦୦ ଓ ଦ୍ୱିତୀୟ ଦିନରେ ୭,୮୦୦ ଜଣ ୪୫ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ କେବଳ ଦ୍ୱିତୀୟ ଡୋଜ ଟିକା ଦିଆଯିବ । ସେହିପରି ଦୁଇ ଦିନରେ ଯଥାକ୍ରମରେ ୪୦୫୦ ଓ ୧୭୫୦ ଜଣଙ୍କୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କୁ କେବଳ ପ୍ରଥମ ଡୋଜ ଟିକା ପ୍ରଦାନ ନେଇ ଲକ୍ଷ୍ୟ ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲାରେ ମୋଟ ୭,୬୩, ୫୮୭ଜଣଙ୍କୁ ଟିକା ଦିଆଯାଇଛି ।
