ବାଲେଶ୍ୱର : ଦିନକରେ ୧୧୫ କରୋନା ସଂକ୍ରମିତ ଓ ୨୩୮ ସୁସ୍ଥ
ବାଲେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ତାଲାବନ୍ଦ ଓ କୋଭିଡ କଟକଣା ଅବଧି ଶେଷ ହୋଇ ଆସୁଥିବା ବେଳେ ବାଲେଶ୍ୱର ଜିଲାର ସଂକ୍ରମଣ ହାର ବି ହ୍ରାସ ପାଇବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳରେ ୨୩ଜଣ ସଂକ୍ରମିତ ଅଛନ୍ତି । ସେହିଭଳି ବାହାନଗା ବ୍ଲକରୁ ୪ଜଣ, ବାଲିଆପାଳରୁ ୧୧, ବସ୍ତାରୁ ୧୦, ଭୋଗରାଇରୁ ୧୨, ଜଳେଶ୍ୱରରୁ ୧୩, ନୀଳଗିରିରୁ ୧୫, ଔପଦାରୁ ଜଣେ, ରେମୁଣାରୁ ୩, ସଦରରୁ ୧୫ ଓ ସୋର ବ୍ଲକରୁ ୭ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୩୮ ଜଣ ସୁସ୍ଥ ହୋଇଛନ୍ତି ।
ସୂଚନା ଯେ, ବର୍ତମାନ ସୁଦ୍ଧା ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬,୦୯୩ରେ ପହଞ୍ôଚଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୪,୧୨୩ ଛୁଇଁଛି । ସକ୍ରିୟ ଥିବା ୧,୮୨୫ଜଣ କରୋନା ଆକ୍ରାନ୍ତ ଗୃହ ସଙ୍ଗରୋଧ, କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୬୩ ବର୍ଷର ଜଣେ ପୁରୁଷ ଓ ୬୫ବର୍ଷର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଥିବା ସରକାରଙ୍କ ୱେବସାଇଟରେ ପ୍ରକାଶ ପାଇଛି ।
