୩ ବର୍ଷରେ ୨୮୨ ହାତୀ, ୧୭ ବାଘ ମୃତ୍ୟୁବରଣ କରିଛନ୍ତି
ଭୁବନେଶ୍ୱର : ୨୦୧୮ରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ ବିଗତ ୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୩ ବର୍ଷରେ ୧୭ ବାଘଙ୍କ ମୃତ୍ୟୁ ହୋଇଛି । ବିଧାୟକ ଗଣେଶ ରାମ ସିଂ ଖୁଂଟିଆଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।
୨୦୧୮ରେ ୯୩ଟି, ୨୦୧୯ରେ ୮୨ଟି, ୨୦୨୦ ରେ ୭୭ ଓ ୨୦୨୧ ଅଗଷ୍ଟ ଯାଏଁ ୩୦ଟି ହାତୀଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୭ଟି ହାତୀ ଶିକାରରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଆଘାତରେ ୪୩, ରେଳ ଦୁର୍ଘଟଣାରେ ୧୩, ରାସ୍ତା ଦୁର୍ଘଟଣାରେ ୪, ବିଭିନ୍ନ ରୋଗରେ ପଡି ୧୦୧, ପ୍ରାକୃତିକଜନିତ ୩୪, ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୫୯ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୧ଟି ହାତୀର ମୃତ୍ୟୁର କାରଣ ଜଣାପଡିନାହିଁ । ସେହିଭଳି ୨୦୧୮ରୁ ଏବେ ଯାଏଁ ମୋଟ ୧୭ଟି ବାଘ ପ୍ରାଣ ହରାଇଛନ୍ତି । ଯେଉଁଥିରେ ୧୫ଟି କଳରାପତରିଆ ବାଘଙ୍କର ଜୀବନ ଯାଇଥିବା ବେଳେ ୨ଟି ମହାବଳ ବାଘର ମୃତ୍ୟୁ ହୋଇଛି । ଗୋଟିଏ ମହାବଳ ବାଘ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ବାଘଟି ରୋଗରେ ମୃତ୍ୟୁବରଣ କରିଛି । ଅନ୍ୟପଟେ ୫ଟି କଲରାପତରିଆ ବାଘ ଶିକାରରେ ମରିଥିବା ବେଳେ ରେଳ ଦୁର୍ଘଟଣାରେ ୧, ପ୍ରାକୃତିକ ଉପାୟରେ ୨, ଅନ୍ୟାନ୍ୟ ରୋଗରେ ୪ କଲରାପତରିଆ ବାଘଙ୍କର ଜୀବନ ଯାଇଛି । ସେହିଭଳି ୩ଟି କଲରାପତରିଆ ବାଘର ମୃତ୍ୟୁର କାରଣ ଜଣାପଡିନାହିଁ ।
