ରାଜସ୍ଥାନ ସରକାରରୁ ୩ ମନ୍ତ୍ରୀ ଦେଲେ ଇସ୍ତଫା
ନୂଆଦିଲ୍ଲୀ: ରାଜସ୍ଥାନ ସରକାରଙ୍କ ତିନି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏଥିରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଡୋଟାସରା, ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଏବଂ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀଙ୍କ ନାମ ଅଛି। ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ।
କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୨ରେ ରାଜସ୍ଥାନ କ୍ୟାବିନେଟର ସମ୍ପ୍ରସାରଣ ହୋଇପାରେ। ସଚିନ ପାଇଲଟ କ୍ୟାମ୍ପର ବିଧାୟକମାନେ ଏହି ନୂତନ କ୍ୟାବିନେଟରେ ସ୍ଥାନ ପାଇପାରିବେ। ସୂଚନା ଯେ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଶୁକ୍ରବାର ଜୟପୁରରେ ପହଞ୍ଚିଥିଲେ । ମାକନଙ୍କୁ ସ୍ବାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଏୟାରପୋର୍ଟ ଯାଇଥିଲେ । ଜୟପୁରରେ ପହଞ୍ଚିବା ପରେ ମାକନ ଗଣମାଧ୍ୟମ ଆଗରେ ମନ୍ତ୍ରୀଙ୍କ ଇସ୍ତଫା ନେଇ ବଡ ବୟାନ ଦେଇଛନ୍ତି । ତିନି ମନ୍ତ୍ରୀଙ୍କ ଇସ୍ତଫା ପରେ ସେମାନଙ୍କୁ ଦଳ ନୂଆ ଦାୟିତ୍ବ ଦେଇଥିବା ମାକନ ଜଣାଇଛନ୍ତି । ରାଜ୍ୟ ପ୍ରଭାରୀଙ୍କ ଏହି ବୟାନରୁ ରାଜସ୍ଥାନ କ୍ୟାବିନେଟରେ ହେବାକୁ ଥିବା ସମ୍ପ୍ରସାରଣ ସମ୍ପର୍କରେ ଆଭାସ ମିଳିଛି ।
