ତିନି ବନ୍ଧୁକ ବେପାରୀ ଗିରଫ : ପିସ୍ତଲ ସହ ଗୁଳିଗୋଳା ଓ ୩ ବାଇକ୍ ଜବତ
କଟକ : କିଛି ଅସାମାଜିକ ବନ୍ଧୁକ କାରବାର କରୁଥିବା ଖବର ପାଇ ଲାଲବାଗ ଥାନା ପୋଲିସ ଚଢଉ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ୯ଏମଏମ ଦେଶୀ ପିସ୍ତଲ, ଗୋଟିଏ ୭.୬୫ ଏମଏମ ଦେଶୀ ପିସ୍ତଲ, ଗୋଟିଏ ୩୮୦ଏମଏମ୍ ଦେଶୀ ରିଭଲଭର ଓ ୧୫ଟି ଅଫୁଟା ଗୁଳି ସହିତ ଗୋଟିଏ ହୁଣ୍ଡା ଆକ୍ଟିଭା ୫-ଜି(ଓଡି-୧୩-କେ-୯୭୪୬, ଗୋଟିିଏ ଟିଭିଏସ ଆପାଚି ୧୬୦(ଓଡି-୦୫-ପି-୫୬୩୭), ଗୋଟିଏ ବଜାଜ ପଲସର ୧୫୦(ଏମଏଚ-୧୪-ଏଏଲ-୭୬୧୭) ଏବଂ ୩ ଟି ମୋବାଇଲ ଫୋନ ଜବତ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ଦିଘିର ଗୋପିନାଥ ପାତ୍ର(୩୭), କଟକ ସିଆରଆଇଆଇ ଥାନା ଅନ୍ତର୍ଗତ ଗତିରାଉତ ପାଟଣାର ଶ୍ରୀନାଥ ରାଉତ(୪୦) ଓ କିଶନନଗର ଥାନା ଅନ୍ତର୍ଗତ ଅର୍ଚ୍ଚିଲିର ଜ୍ୟୋତିରଂଜନ ରାଉତ(୨୫) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ୮ଟା ବେଳେ ଲାଲବାଗ ଥାନା ଅଧିକାରୀ ବନ୍ଧୁକ କାରବାରର ଏକ ଗୁପ୍ତ ଖବରକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାଡ ସହାୟତାରେ ସଦଳବଳେ ସ୍ଥାନୀୟ ରାଧାନାଥ ଟ୍ରେନିଂ କଲେଜ ନିକଟରେ ଚଢଉ କରିଥିଲେ । ତେବେ ପୋଲିସକୁ ଦେଖି ଜଣେ ଖସି ପଳାଇଥିବା ବେଳେ ପୋଲିସ ଉପରୋକ୍ତ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା । ସେମାନଙ୍କୁ ତଲାସି ନେବାରେ ୩ଟି ବନ୍ଧୁକ ସହିତ ୧୫ଟି ଗୁଳି ମିଳିଥିଲା । ପଚରା ଉଚରା ବେଳେ ସେମାନେ କଟକ, ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ସହିତ ଅନ୍ୟ ଜିଲ୍ଲାର ଅପରାଧୀମାନଙ୍କୁ ଏହି ବନ୍ଧୁକ ଯୋଗାଉଥିବା ସ୍ୱୀକାର କରିଥିଲେ । ସେମାନେ ବିହାରରୁ ଚୋରାରେ ଏହି ବନ୍ଧୁକ ସବୁ ଆଣି ଓଡିଶାର ବିଭିନ୍ନ ଜିଲ୍ଲାର ଅପରାଧୀମାନଙ୍କୁ ବିକୁଥିବାର ଜଣାପଡିଥିଲା । ଅଭିଯୁକ୍ତମାନେ ବିହାରରେ ବନ୍ଧୁକ ତିଆରି କରୁଥିବା ଲୋକଙ୍କ ସହ ସଂପର୍କ ରଖି ଏହି କାରବାର ଚଳାଇ ଆସୁଥିବା ସ୍ୱୀକାର କରିଥିଲେ । ପୋଲିସ କେସ ନଂ ୨୪୬/୨୨ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ଗୋପିନାଥ ବିରୋଧରେ ନିଆଳି ଥାନାରେ ଦୁଇଟି ମାମଲା ରହିଥିବା ବେଳେ ଦରଘାବଜାର ଥାନାରେ ଗୋଟିଏ ମାମଲା ରହିଛି । ଶ୍ରୀନାଥ ବିରୋଧରେ ଚାଉଳିଆଗଂଜ, କିଶନନଗର, ବିରିଡିି ଥାନାରେ ୭ଟି ମାମଲା ରହିଥିବା ବେଳେ ଜ୍ୟୋତିରଂଜନର ଅପରାଧିକ କାର୍ଯ୍ୟକଳାପର ଛାନଭିନ ଚାଲିଛି ।
