କରୋନାର ତୃତୀୟ ଲହର ଆସିବା ଆଶଙ୍କା ଏବେ ଟଳି ନାହିିଁ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣ ଋତୁ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରି କରୋନା ସମୀକ୍ଷା କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ-୧୯ ସ୍ଥିତି ଓ ଟିକାକରଣ ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନାର ତୃତୀୟ ଲହର ଆସିବା ଆଶଙ୍କା ଏବେ ଟଳି ନାହିିଁ । ଏହାକୁ ନଜରରେ ରଖି ଦେଶରେ ତୀବ୍ର ଗତିରେ ଚାଲିଛି ଟିକାକରଣ ଅଭିଯାନ ଜାରି ରହିଛି ।
ଦେଶରେ କରୋନାର ଦ୍ୱିତୀୟ ଲହରି ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେବା ପରେ ଆଜି ଏହି ସମୀକ୍ଷା ବୈଠକ କରାଯାଇଛି। ସ୍ୱାସ୍ଥ୍ୟ ସଚିବ ଗତକାଲି କହିଥିଲେ ଯେ, ଏବେ ବି ୩୫ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୧୦ପ୍ରତିଶତରୁ ଅଧିକ ରହିଛି ଓ ୩୦ଜିଲ୍ଲାରେ ୫-୧୦ ପ୍ରତିଶତ ମଧ୍ୟରେ ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଗାମୀ ପାର୍ବଣ ଋତୁରେ କିଭଳି କରୋନା କଟକଣା ଲଗାଯିବ ଓ ଟିକାକରଣର ସ୍ଥିତି ନେଇ ଆଲୋଚନା କରିଛନ୍ତି । ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି । ସରକାରୀ ସୂଚନା ମୁତାବକ ଦେଶରେ ମୋଟ ୫୮ କୋଟି ୮୬ ଲକ୍ଷ ୪ ହଜାର ୮୫୪ ଜଣଙ୍କ ଠାରେ କୋଭିଡ -୧୯ ପରୀକ୍ଷଣ କରାଯାଇଛି । ଯାହା ମଧ୍ୟରୁ କେବଳ ଗୁରୁବାର ଦିନ ୧୭,୮୭,୬୧୧ ଜଣଙ୍କ ଟେଷ୍ଟ କରାଯାଇଛି । ଏହାସହ ଦୈନିକ ସଂକ୍ରମଣ ହାର ୧.୯୬ ପ୍ରତିଶତ ରହିଛି ।
