ଚଳିତବର୍ଷ କଡ଼ାକଡ଼ି ହେବ ‘ହ୍ବାଇଟ ସ୍ପାଇଡର’ ଅଭିଯାନ : ପୋଲିସ କମିଶନର
ଭୁବନେଶ୍ୱର : ପୋଲିସ ସେବା ଭବନରେ ଅଧିକାରୀସ୍ତରୀୟ ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଟ୍ବିନ୍ ସିଟିରେ ଅପରାଧ, ଟ୍ରାଫିକ ସମସ୍ୟା ଆଦି ରୋକିବା ଦିଗରେ ୨୦୨୨ରେ କମିଶନରେଟ ପୋଲିସକୁ କିଛି ସଫଳତା ମିଳିଥିଲା। ତେବେ ୨୦୨୩ରେ ପୋଲିସ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଥିବାରୁ କିପରି ଆଗାମୀ କାର୍ଯ୍ୟପନ୍ଥା ରହିବ ସେନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ୨୦୨୧ ଓ ୨୦୨୨ରେ ‘ହ୍ବାଇଟ ସ୍ପାଇଡର’ ଅଭିଯାନ ଜରିଆରେ ରେକର୍ଡ ସଂଖ୍ୟକ ବ୍ରାଉନସୁଗାର ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ୨୦୨୩ରେ ଏହି ଅଭିଯାନ ଅଧିକ କଡ଼ାକଡ଼ି କରାଯିବ। ସାଇବର କ୍ରାଇମ ମଧ୍ୟ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ଏହି କ୍ରାଇମ କମାଇବାକୁ ଅଧିକ ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି ସୂଚନା ଦେଇଛନ୍ତି ଯେ, କମିଶନରେଟ ପୋଲିସର ସ୍ବତନ୍ତ୍ର କ୍ରାଇମ ୟୁନିଟକୁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଆଗାମୀ ଦିନରେ କିପରି ସୁଫଳ ମିଳିପାରିବ ସେନେଇ ପ୍ରଚେଷ୍ଟା ରହିବ। ଟ୍ରାଫିକ ସମସ୍ୟା, ଷ୍ଟ୍ରିଟ୍ କ୍ରାଇମ ଆଦି ଦିଗରେ ଅଧିକ କାର୍ଯ୍ୟ କରାଯିବ। ୨୦୨୨ରେ ଟ୍ବିନ୍ ସିଟିରେ ୨୬୦୦ରୁ ୨୭୦୦ ଲୁଟ୍ ମୋବାଇଲ ଫେରାଇ ଦିଆଯାଇଛି। ‘ବସ୍ତିକୁ ଚାଲ’ ଅଭିଯାନ ମାଧ୍ୟମରେ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ତିଆରି କରି ବସ୍ତିରେ ଅପରାଧ କମାଇବାକୁ ଚେଷ୍ଟା କରାଯାଉଛି। ସ୍କୁଲ ଓ କଲେଜରେ ସାଇବର କ୍ରାଇମ, ଟ୍ରାଫିକ ସଚେତନତା, ଆତ୍ମହତ୍ୟା ବିରୋଧରେ ଲଢ଼େଇ ଆଦି ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ବର୍ଷ ଏହାକୁ ଅଧିକ ମାତ୍ରାରେ କରାଯିବ ବୋଲି କମିଶନର କହିଛନ୍ତି।
