ସର୍ବଦଳୀୟ ବୈଠକରେ ନିଷ୍ପତି! ଏଥର କୋଟିଆରେ ହେବନି ନିର୍ବାଚନ, ସହମତିରେ ବଛାହେବେ ଜନପ୍ରତିନିଧି
ଭୁବନେଶ୍ୱର: ଏଥର ବିବାଦୀୟ କୋଟିଆରେ ହେବନାହିଁ ନିର୍ବାଚନ । ଏଠାରେ ସହମତି ଭିତିରେ ବଛା ହେବେ ପ୍ରତିନିଧି । ଗୁରୁବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ସର୍ବଦଳୀୟ ବୈଠକରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ନେତାମାନେ ଉପସ୍ଥିତ ଥିଲେ ।
ବିଜେଡିର କୋରାପୁଟ ଜିଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଂଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ । ଏମିତିକି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ । ପୁଣି କେବଳ କୋଟିଆ ଅଂଚଳର ଲୋକଙ୍କୁ ହିଁ ଏହି ସବୁ ପଦ ପାଇଁ ବଛାଯିବ । ଶ୍ରୀ ପାଣିଗ୍ରାହୀ କହିଛନ୍ତି, କୋଟିଆ ମାଟିର ସୁରକ୍ଷା ପାଇଁ ଆମେ ସବୁ ଦଳ ଏକାଠି ହୋଇ ଆନ୍ଧ୍ର ପ୍ରଦେଶ ସହ ଲଢ଼ିବାକୁ ଯାଇଥିଲୁ । ଗୁରୁବାର ମଧ୍ୟ ଆମେ ଏକତାର ପରିଚୟ ଦେଇଛୁ । କୋଟିଆରୁ କୌଣସି ଦଳ ଭିତିକ ପ୍ରାର୍ଥୀଙ୍କୁ ଛିଡ଼ା କରାଯିବ ନାହିଁ । ଯେଉଁ ସବୁ ପ୍ରାର୍ଥୀ ସେଠାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ସେମାନେ କୌଣସି ଦଳରେ ରହିବେ ନାହିଁ । ଏପରିକି ସେମାନଙ୍କ ପରିବାରର କୌଣସି ସଦସ୍ୟ କୌଣସି ଦଳର ସମର୍ଥକ ହୋଇ ନଥିବେ । ନିରପେକ୍ଷ ଭାବେ ସେ ଅଂଚଳର ବାସିନ୍ଦାଙ୍କ ମଧ୍ୟରୁ ପ୍ରାର୍ଥୀଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯିବ । କୋଟିଆ ପ୍ରସଙ୍ଗ ଉପରେ ଯେତେବେଳେ ଆଲୋଚନା ହେବ ସେମାନେ ସର୍ବଦଳୀୟ କମିଟିର ପରାମର୍ଶ ନେଇ ମତ ପୋଷଣ କରିବେ । ପୂର୍ବତନ ସାଂସଦ ଜୟରାମ ପାଙ୍ଗି କହିଛନ୍ତି, ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲା ପରିଷଦ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରାଯିବ । ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସେମାନଙ୍କୁ ବୁଝାଯିବ । ଏହା ଦ୍ୱାରା ଆନ୍ଧ୍ର ପ୍ରଦେଶକୁ ନିଶ୍ଚିତ ବାର୍ତା ଯିବ ଯେ କୋଟିଆ ପ୍ରସଙ୍ଗରେ ଆମ ପାଇଁ ଦଳ ବଡ଼ ନୁହେଁ, ମାଟି ବଡ଼ । ଆମେ କୋଟିଆକୁ ଛାଡ଼ିବୁ ନାହିଁ ବୋଲି ଯେଉଁ ଜିଦ୍ ରହିଛି, ସେହି ବାର୍ତା ସେମାନଙ୍କ ପାଖକୁ ଯାଉ । ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଂଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ । ଏପରିକି ଜିଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ । ଯେଉଁ ପ୍ରାର୍ଥୀଙ୍କୁ ସର୍ବସମ୍ମତିରେ ବଛାଯିବ, ସେ ଯେକୌଣସି ଦଳରେ ଥାନ୍ତୁ ନା କାହିଁକି, ସେ ଇସ୍ତଫା ଦେବେ । ଏହି ବୈଠକରେ ବିଧାୟକ ପିତମ ପାଢୀ, ରଘୁରାମ ପଡାଲ, ବିଜେପି ନେତା ଜୟରାମ ପାଙ୍ଗି, ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ, କୋରାପୁଟ୍ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ରାମ କାଡାମ ଓ ପ୍ରଫୁଲ୍ଲ ପାଙ୍ଗି ଉପସ୍ଥିତ ଥିଲେ ।
