ଏହା ରାମ ରାଜ୍ୟ ନୁହେଁ, ଏହା କିଲିଂ ରାଜ୍ୟ : ମମତା ବାନାର୍ଜୀ
କୋଲକାତା : ଉତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଜଣେ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ୟୁପିରେ ବିଜେପି ରାମ ରାଜ୍ୟ କଥା କହୁଛି କିନ୍ତୁ ଏହା ରାମ ରାଜ୍ୟ ନୁହେଁ, ଏହା କିଲିଂ ରାଜ୍ୟ । ଲୋକଙ୍କୁ ମାରିଦିଆଯାଉଛି ଏବଂ ସରକାର ୧୪୪ ଧାରା ଲାଗୁ କରିଦେଉଛନ୍ତି । ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ ମନ୍ତ୍ରୀଙ୍କ ପୁଅ ଲକ୍ଷ୍ମୀପୁର ଖେରୀରେ ଏତେ ସଂଖ୍ୟକ ଚାଷୀଙ୍କୁ ହତ୍ୟା କରିଛି । ଆମେ ଏହାକୁ ନିନ୍ଦା କରୁଛୁ।
ଉଲ୍ଲେଖନୀୟ ଯେ ଉତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ରବିବାର ଦିନ ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଟିକୋନିଆ ଅଂଚଳରେ ଘଟିଥିବା ହିଂସା ଘଟଣାରେ ୪ଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ଅଭିଯୋଗ ହୋଇଛି ଯେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଗାଡି ଚଢାଇଦେବାରୁ ହିଂସାର ସୂତ୍ରପାତ ହୋଇଥିଲା ।
