ନୀଳଗିରିରେ ତ୍ରୟୋଦଶ ଜାତୀୟ ଭୋଟର ଦିବସ-୨୦୨୩ ପାଳିତ
ନୀଳଗିରି : ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗ ନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁୟାରୀ ୨୫କୁ ‘ଜାତୀୟ ଭୋଟର ଦିବସ\’ ଭାବରେ ପାଳନ କରିଥାନ୍ତି । ଆୟୋଗର ମୂଳ ଦିବସ ପାଳନ ପାଇଁ ଏହା ୨୫ ଜାନୁୟାରୀ ୨୦୧୧ରୁ ଆରମ୍ଭ ହୋଇଛି । ଏହି ଅବସରରେ ବୁଧବାର ପୂର୍ବାହ୍ନରେ ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ତ୍ରୟୋଦଶ ଜାତୀୟ ଭୋଟର ଦିବସ ୨୦୨୩ ପାଳିତ ହୋଇଯାଇଛି । ଏହି ଦିବସରେ ନୀଳଗିରି ଉପ-ଜିଲାପାଳ ତଥା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାରେ ଶପଥପାଠ ତଥା ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଜାତୀୟ ଦିବସ ପାଳନର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ମଞ୍ଚାସୀନମାନଙ୍କ ମଧ୍ୟରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝୀ, ବିଡିଓ ରାହୁଲ ମଣ୍ଡଳ ନିଜ ନିଜର ସମ୍ୟକ୍ ବ୍ୟକ୍ତବ୍ୟ ରଖିଥିଲେ । ଉପସ୍ଥିତ ଥିବା ବିଭାଗୀୟ ସମସ୍ତ କର୍ମକର୍ତ୍ତା ସଦସ୍ୟାସଦସ୍ୟ ନୂତନ ଭୋଟର ମାନଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ କରଯାଇଥିଲା । କାର୍ଯ୍ୟକ୍ରମରେ ନୀଳଗିରି ଅତିରିକ୍ତ ତହସିଲଦାର ପ୍ରଦିପ କୁମାର ଦାସ, ଏନ୍ଏସି ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଦୀପ୍ତାଂଶୁ ପରିଡ଼ାଙ୍କ ସମେତ ନୂତନ ଭୋଟର ଓ ବିଭିନ୍ନ ବିଭାଗର କର୍ମକର୍ତ୍ତା ସାମିଲ୍ ଥିଲେ । ନୀଳଗିରି ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ବାଚନ ବିଭାଗର ଲକ୍ଷ୍ମୀକାନ୍ତ ମହାପାତ୍ର, ମନୋରଞ୍ଜନ ସାହୁ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ଅଧିକାରି ଗୋବର୍ଦ୍ଧନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନୂତନ ଭୋଟର କାର୍ଡ଼ ପ୍ରଦାନ କରାଯାଇଥିଲା ।
