ଆଜି ଠାରୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲା, ମ୍ୟାଚ୍ ଜିତି ଡବ୍ଲୁଟିସି ଫାଇନାଲରେ ସ୍ଥାନ ପକ୍କା କରିବେ ରୋହିତ ବାହିନୀ
ଇନ୍ଦୋର : ଆଜି ଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲା । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ ୧-୫ ମଧ୍ୟରେ ହେବାକୁ ଥିବା ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲୁଟିସି) ଫାଇନାଲକୁ ଭାରତର ଟିକେଟ୍ ନିଶ୍ଚିତ ହୋଇଯିବ।
ପ୍ରଥମ ୨ଟି ଟେଷ୍ଟ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ସିରିଜକୁ ପ୍ରତ୍ୟାବର୍ତନ କରିବାକୁ ଜୋରଦାର ପ୍ରୟାସ ଚଳାଇଛି । ଦ୍ୱିତୀୟ ଟେଷ୍ଟ ପରେ ଭାରତୀୟ ଖେଳାଳି ନିଜ ନିଜ ଘରକୁ ଫେରିଯାଇଥିଲେ । ମାତ୍ର ଅଷ୍ଟ୍ରେଲିଆ ଦଳ ଦିଲ୍ଲୀରେ ରହି ଅଭ୍ୟାସ କରିଥିଲା । ଇନ୍ଦୋରରେ ପହଞ୍ôଚବା ପରେ ପିଚ୍କୁ ଦେଖି ଅଷ୍ଟ୍ରେଲିଆ ରଣନୀତି ପ୍ରସ୍ତୁତ କରିଛି । ଏଥର ଭ୍ରମଣକାରୀ ଦଳର ଭାଗ୍ୟ ବଦଳିବା ଆଶା କରାଯାଇପାରେ । ଷ୍ଟିଭେନ ସ୍ମିଥ୍ ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ । ଅଧିନାୟକ ଭାବେ ଟେଷ୍ଟ କ୍ରିକେଟ୍ରେ ସେ ୬୭.୭୩ ହାରରେ ମୋଟ୍ ୩୭୯୩ ରନ୍ ସଂଗ୍ରହ କରିଛନ୍ତି । ନେତୃତ୍ୱ ନେବା ବେଳେ ସ୍ମିଥ୍ଙ୍କ ପ୍ରଦର୍ଶନ ବଦଳି ଯାଏ । ଇନ୍ଦୋରରେ ତାଙ୍କ ବ୍ୟାଟରୁ ଦାୟିତ୍ୱପୂର୍ଣ୍ଣ ଇନିଂସ ଦେଖିବାକୁ ମିଳିବ ବୋଲି ଆଶା କରାଯାଇପାରେ ।
ପାଖା ପାଖି ସପ୍ତାହେ ଧରି ବିଶ୍ରାମ ନେବା ପରେ ଭାରତୀୟ ଦଳ ବିଦ୍ଧି ବଦ୍ଧ ଭାବେ ଅଭ୍ୟାସ ଆରମ୍ଭ କରିଛି । ପ୍ରଥମ ଅଭ୍ୟାସ ଦିବସରେ ବୋଲିଂ ଓ ଫିଲ୍ଡିଂ ଉପରେ ଗୁରୁତ୍ୱ ଦିଆଯାଇଛି । ସୋମବାର ୩ ଓପନରଙ୍କୁ ଛାଡ଼ି ଦେଲେ ପ୍ରାୟତଃ ଅନ୍ୟ ଖେଳାଳିମାନେ ଫିଲ୍ଡିଂ ଅଭ୍ୟାସ କରିଥିଲେ । ବିରାଟ କୋହଲି ଓ ସାଥୀ ସ୍ଲିପ୍ କ୍ୟାଚ୍କୁ ପ୍ରାଥମିକତା ଦେଇଥିଲେ । ସିଲି ପଏଂଟ ଓ ଫରୱାର୍ଡ ସର୍ଟ ଲେଗ୍ ଅଂଚଳ ପାଇଁ ମଧ୍ୟ ଫିଲ୍ଡିଂ ଓ କ୍ୟାଚ୍ ଅଭ୍ୟାସ କରାଯାଇଥିଲା ।
ତୃତୀୟ ଟେଷ୍ଟରେ ଭାରତ ଓପନିଂ ବିଭାଗରେ ପରିବର୍ତନ କରିବା ସମ୍ଭାବନା ଦେଖା ଦେଇଛି । ପ୍ରଥମ ବ୍ୟାଟର ଭାବେ ଗିଲ୍ ନେଟ୍କୁ ଓହ୍ଲାଇଥିଲେ । ଅଧିକ ସମୟ ଧରି ସେ ନୂଆ ବଲ୍ରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ପରେ ପରେ ତାଙ୍କ ସହ ରାହୁଲ ଯୋଗ ଦେଇଥିଲେ । ଉଭୟ ପାଖା ପାଖି ଥିବା ୨ଟି ନେଟ୍ରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ଦୀର୍ଘ ସମୟ ମଧ୍ୟରେ ଉଭୟ ପେସ୍ ବୋଲର ଓ ସ୍ପିନରଙ୍କୁ ସାମ୍ନା କରିଥିଲେ । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ଉଭୟଙ୍କ ଅଭ୍ୟାସ ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଇନ୍ଦୋରେ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର ଏଠାରେ ବ୍ୟାଟିଂ ମଧ୍ୟ ପୂର୍ବ ଦୁଇ ଷ୍ଟାଡିୟମ ତୁଳନାରେ ସହଜ ହେବ । ହୋଲକାର ଷ୍ଟାଡିୟମ୍ରେ ନାଲି ମାଟିର ପିଚ୍ ପ୍ରସ୍ତୁତ କରାଯାଇଛି । ଫଳରେ ପିଚ୍ରେ ବଲ୍ ଟର୍ଣ୍ଣ ଓ ବାଉନ୍ସ ହେବ । ପୂର୍ବ ୨ଟି ଟେଷ୍ଟରେ ପିଚ୍ ସାମାନ୍ୟ ମନ୍ଥର ଥିଲା । ମାତ୍ର ନାଲି ମାଟିର ପିଚ୍ରେ ବଲ୍ କ୍ଷୀପ୍ର ବେଗରେ ବ୍ୟାଟ ନିକଟକୁ ଆସିବ । ତେଣୁ ସଟ୍ ଖେଳିବା ସହଜ ହେବ । ତଥାପି ସ୍ପିନରଙ୍କ ପାଇଁ ସତର୍କ ହେବା ଜରୁରି । କାରଣ ସ୍ପିନରଙ୍କ ବଲ୍ରେ ସିଲି ପଏଂଟ କିମ୍ବା ସର୍ଟ ଲେଗ୍କୁ କ୍ୟାଚ୍ ଉଠିବା ସହଜ ।
ଘରୋଇ ଗ୍ରାଉଣ୍ଡରେ ଆଧିପତ୍ୟ ଜାରି ରଖି ଭାରତ ପ୍ରଥମ ୨ଟି ଟେଷ୍ଟ ଜିତି ସାରିଛି । ମାତ୍ର ବ୍ୟକ୍ତିଗତ ପ୍ରଦର୍ଶନ ସେଭଳି ଆକର୍ଷଣୀୟ ହୋଇନାହିଁ । କେବଳ ରୋହିତ ଶର୍ମା ଗୋଟିଏ ଶତକ ଅର୍ଜନ କରିଛନ୍ତି । ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ କେହି ବ୍ୟାଟିଂରେ ସଫଳ ହୋଇ ନାହାନ୍ତି । ବିଶେଷ କରି ବିରାଟ କୋହଲିଙ୍କ ବ୍ୟାଟ୍ରୁ ଏକ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି । ସମ୍ପ୍ରତି ବିଶ୍ୱ କ୍ରିକେଟ୍ର ୪ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ଜୋ ରୁଟ୍, କେନୱିଲିୟମସନ ଓ ଷ୍ଟିଭେନ ସ୍ମିଥ୍ ଫର୍ମରେ ରହିଛନ୍ତି । କେବଳ କୋହଲି ପଛରେ ପଡ଼ି ଯାଇଛନ୍ତି । ୨୦୨୧ ଆରମ୍ଭ ବେଳକୁ କୋହଲି ଟେଷ୍ଟ କ୍ରିକେଟ୍ରେ ୨୭ଟି ଶତକ ଅର୍ଜନ କରିଥିଲେ । ଏହି ସମୟରେ ସ୍ମିଥ୍ ୨୬ଟି, ୱିଲିୟମସନ ୨୪ଟି ଓ ରୁଟ୍ ୧୭ଟି ଶତକ ଅର୍ଜନ କରିଥିଲେ । ବର୍ତମାନ ଏହି ତାଲିକା ସମ୍ପୂର୍ଣ୍ଣ ଓଲଟା । ବର୍ତମାନ ସ୍ମିଥ୍ ୩୦ଟି ଶତକ ଅର୍ଜନ କରିସାରିଥିବାବେଳେ ରୁଟ୍ ୨୯ଟି ଓ ୱିଲିୟମସନ ୨୬ଟି ଶତକ ଅର୍ଜନ କରିସାରିଛନ୍ତି । କୋହଲିଙ୍କ ଶତକ ସଂଖ୍ୟା ୨୭ରେ ଅଟକି ଯାଇଛି । ଇନ୍ଦୋର କୋହଲିଙ୍କ ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି । ଏହି ଗ୍ରାଉଣ୍ଡ୍ରେ କୋହଲି ପୂର୍ବରୁ ସଫଳ ପ୍ରଦର୍ଶନ କରିଛନ୍ତି ।
ମିଚେଲ ଷ୍ଟାର୍କ ୧୦୦ପ୍ରତିଶତ ଫିଟ୍ ହୋଇନଥିବା ସ୍ୱୀକାର କରିଛନ୍ତି । ମାତ୍ର ଏଥିପ୍ରତି ସେ ଚିନ୍ତିତ ନୁହନ୍ତି । ଇନ୍ଦୋରରେ ସମ୍ପୂର୍ଣ୍ଣ ମ୍ୟାଚ୍ ଫିଟ୍ନେସ୍ ଭଳି ପ୍ରଦର୍ଶନ କରିବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି । ‘ବର୍ତମାନ ସୁଦ୍ଧା ଯେତିକି ଫିଟ୍ ଅଛି ତାହା ଇନ୍ଦୋର ଟେଷ୍ଟ ପାଇଁ ଯଥେଷ୍ଟ । ଯଦି ୧୦୦ପ୍ରତିଶତ ଫିଟ୍ନେସ୍କୁ ଗୁରୁତ୍ୱ ଦେବି, ତାହା ହେଲେ ଗୋଟିଏ ବର୍ଷରେ ମୁଁ ୪/୫ଟି ଟେଷ୍ଟ ଖେଳିପାରିବି । ସୂଚନାଯୋଗ୍ୟ, ପ୍ୟାଟ୍ କମିନ୍ସ ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ସ୍ୱଦେଶ ଫେରିଯାଇଥିବାରୁ ତୃତୀୟ ଟେଷ୍ଟ ଖେଳିବେନି । ଫଳରେ ତାଙ୍କ ସ୍ଥାନରେ ଷ୍ଟାର୍କ ଖେଳିବା ନିଶ୍ଚିତ । ଗତ ଦିଲ୍ଲୀ ଟେଷ୍ଟ ବେଳଠୁ ଷ୍ଟାର୍କ ବୋଲିଂ ଅଭ୍ୟାସ ଜାରି ରଖିଛନ୍ତି । ଇତି ମଧ୍ୟରେ ସେ ଲୟ ଫେରିପାଇଛନ୍ତି । ଆଜି ନେଟ୍ସରେ ସେ ଦୀର୍ଘ ସମୟ ଧରି ଉଭୟ ନୂଆ ଓ ପୂରୁଣା ବଲ୍ରେ ବୋଲିଂ କରିଥିଲେ । ପୁରୁଣା ବଲ୍ରେ ସେ ବାରମ୍ବାର ରିଭର୍ସ ସୁଇଂ କରି ବ୍ୟାଟ୍ସମ୍ୟାନଙ୍କୁ ଚିନ୍ତାରେ ପକାଇ ଦେଇଥିଲେ ।
