ଉଚ୍ଚ ରକ୍ତଚାପ ପାଇଁ ଦାୟୀ ଏହି ୫ଟି ଖରାପ ଅଭ୍ୟାସ ! ଜାଣନ୍ତୁ ଏହା କବଳରୁ ବର୍ତ୍ତିବାର ଉପାୟ
ଆଜିକାଲି ଲୋକଙ୍କ ମଧ୍ୟରେ ରକ୍ତଚାପ ଏକ ସାଧାରଣ ସମସ୍ୟା ଭାବରେ ଉଭା ହେଉଛି । ଲୋକମାନେ ଅଳ୍ପ ବୟସରେ ଏହି ରୋଗରେ ପୀଡ଼ିତ ହେଉଛନ୍ତି । ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଲୋକଙ୍କ ୫ଟି ଭୁଲ ଅଭ୍ୟାସ । କୁଅଭ୍ୟାସ କାରଣରୁ ହେଉଥିବା ଉଚ୍ଚ ରକ୍ତଚାପକୁ ହୃଦରୋଗର ଏକ ମୁଖ୍ୟ କାରଣ ଭାବରେ ବିବେଚନା କରାଯାଉଛି । ଏଥିପାଇଁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଜରୁରୀ । ଆସନ୍ତୁ ଜାଣିବା କଣ ସେହି ଭୁଲ ଅଭ୍ୟାସ ଯାହା ରକ୍ତଚାପ ବୃଦ୍ଧି କରୁଛି ।
୧- ବ୍ୟାୟାମର ଅଭାବ :
ଆଜିକାଲି ଲାଇଷ୍ଟାଇଲରେ ବ୍ୟାୟାମର ଅଭାବ ଯୋଗୁ ବୃଦ୍ଧି ପାଉଛି ମେଦବହୁଳତା । ଓଜନ ବୃଦ୍ଧି ହିଁ ରକ୍ତଚାପକୁ ଗଭୀର ଭାବେ ପ୍ରଭାବିତ କରୁଛି । କେବଳ ରକ୍ତଚାପ ନୁହେଁ ଏହା ଯୋଗୁଁ ବିଭିନ୍ନ ଜଟିଳ ଶାରୀରିକ ସମସ୍ୟା ଦେଖାଦେଉଛି । ତେଣୁ ଯଦି ଆପଣ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଦୈନିକ ଅତି କମ୍ ରେ ୩୦ ମିନିଟ୍ ବ୍ୟାୟାମ କରିବା ଜରୁରୀ ।
୨- ଅଧିକ ଲୁଣ ଖାଇବା :
ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସର୍ବଦା କମ୍ ଲୁଣ ଖାଇବାକୁ ପରାମର୍ଶ ଦିଆଯାଏ । ଅଧିକ ଲୁଣ ଖାଇଲେ ଉଚ୍ଚ ରକ୍ତଚାପର ଆଶଙ୍କା ଦ୍ୱିଗୁଣିତ ହୋଇଯାଇଥାଏ । ତେଣୁ ଖାଦ୍ୟରେ ଲୁଣ ପରିମାଣ ଅତି କମ୍ କରିବାକୁ ପ୍ରୟାସ କରନ୍ତୁ ।
୩- ତମାଖୁ ବ୍ୟବହାର :
ତମାଖୁ ସେବନ ମଧ୍ୟ ରକ୍ତଚାପକୁ ମଧ୍ୟ ପ୍ରଭାବିତ କରିଥାଏ । ଏହାଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ଆହୁରି ବଢ଼ିଯାଇଥାଏ । ଧୂମପାନ ଏବଂ ତମାଖୁ କେବଳ କର୍କଟ ଭଳି ସାଂଘାତିକ ରୋଗର କାରଣ ହୁଏନାହିଁ, ବରଂ ଅନ୍ୟାନ୍ୟ ରୋଗର କାରଣ ବି ହୋଇଥାଏ ।
୪- ମାନସିକ ଚାପ :
ଆଜିକାଲିର ଜୀବନଶୈଳୀ ହେତୁ କେବଳ ବଡ ଲୋକମାନେ ନୁହଁନ୍ତି, ପିଲାମାନେ ମଧ୍ୟ ଚାପର ଶିକାର ହେଉଛନ୍ତି । ମାନସିକ ଚାପ ପଛରେ ଅନେକ କାରଣ ରହିଛି, ଯେପରିକି କାର୍ଯ୍ୟ ଚାପ, କିଛି ବିଷୟରେ ଚିନ୍ତା କରିବା, ଅଧ୍ୟୟନ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଚାପ ସୃଷ୍ଟି କରିପାରେ । ଅତ୍ୟଧିକ ଚାପ ଅନେକ ସମୟରେ ଉଚ୍ଚ ରକ୍ତଚାପର କାରଣ ବନିଥାଏ ।
୫- ମଦ୍ୟପାନ ଏବଂ ଚା’ ଓ କଫି :
ଉଚ୍ଚ ରକ୍ତଚାପରୁ ବର୍ତ୍ତିବାକୁ ଚାହୁଁଥିଲେ, ସର୍ବ ପ୍ରଥମେ ଆପଣଙ୍କୁ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏହା ରକ୍ତଚାପକୁ ଗଭୀର ଭାବେ ପ୍ରଭାବିତ କରିଥାଏ । ଏହାସହିତ ଚା’ ଏବଂ କଫି ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ । କାରଣ ଏଥିରେ ଅଧିକ ପରିମାଣରେ କଫିନ୍ ରହିଥାଏ । ଦୈନିକ କପ୍ ପରେ କପ୍ ଚା’ ଓ କଫି ପିଉଥିବା ଲୋକମାନେ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ଏହା ଆପଣଙ୍କ ରକ୍ତଚାପ ବୃଦ୍ଧି କରିଥାଏ । ଯଦି ଆପଣ ଚା, କଫି ପିଉଛନ୍ତି, ତେବେ ଦୀର୍ଘ ସମୟ ବ୍ୟବଧାନରେ ପିଇବା ସହିତ ଖୁବ କମ୍ ପରିମାଣରେ ପାନୀୟ ଗ୍ରହଣ କରିବା ଉଚିତ ।
