ସାପ କାମୁଡ଼ା ରୋଗୀଙ୍କୁ ବୋହିବାକୁ ପ୍ରତି ଗାଁରେ ରହିବ ଷ୍ଟ୍ରେଚର
ଭୁବନେଶ୍ୱର : ସାପ କାମୁଡ଼ାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ନୂଆ ରଣନୀତି ଆପଣେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ସାପ କାମୁଡ଼ା ରୋଗୀଙ୍କୁ ବୋହିବାକୁ ପ୍ରତି ଗାଁରେ ହାଲୁକା ଷ୍ଟ୍ରେଚରର ବ୍ୟବସ୍ଥା କରାଯିବ । ବିଷାକ୍ତ ସାପ ସଂପର୍କରେ ଲୋକଙ୍କୁ ସଚେତନ ପାଇଁ ଗାଁରେ ପୋଷ୍ଟର ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଆଧାରରେ ରଣନୀତି ହେବ ଏବଂ ପରବର୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ । ଏହାସହ ଆଂଟି ସ୍ନେକ ଭେନମ ଦେବାକୁ ଅମଙ୍ଗ ଡାକ୍ତରଙ୍କୁ ଟ୍ରେନିଂ ଦିଆଯିବ ବୋଲି ସେ କହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଆମ ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଂଟି ସ୍ନେକ ଭେନମ ଯୋଗାଇ ଦିଆଯାଉଛି । ଏହାସତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି । ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପ କାମୁଡା । ୨୫ରୁ ୩୦ ସାପ କାମୁଡା ମୃତ୍ୟୁ କେଇ ଘଂଟା ଭିତରେ ଘଟୁଛି । ଯେତେବେଳେ କି ବିଷ ଶରୀରକୁ ବ୍ୟାପି ନ ଥାଏ । ଏସବୁ କ୍ଷେତ୍ରରେ ସାପ କାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି । କେଉଁଟା ବିଷାକ୍ତ ସାପ, କେଉଁଟା ନୁହେଁ, ସେନେଇ ଲୋକଙ୍କ ଭିତରେ ସଚେତନତା ବଢାଇବାକୁ ପଡ଼ିବ ବୋଲି ଡାକ୍ତର ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି, ସାପ କାମୁଡ଼ା ଲୋକ ଚଲା ବୁଲା କରିବା ଅନୁଚିତ । ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବା କଥା । ରାଜ୍ୟରେ ବହୁତ ଲୋକ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରନ୍ତି । ଫଳରେ ଏହି ଚିକିତ୍ସା ବେଳେ ରକ୍ତରେ ବିଷ ସଂଚାର ଅଧିକ ହୋଇଯାଏ ଓ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ନ୍ତି । ଡାକ୍ତରମାନଙ୍କ ମଧ୍ୟରେ ମଧ୍ୟ ଆଂଟି ସ୍ନେକ ଭେନମ୍ ମେଡିସିନ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି ।
