ରାଜ୍ୟରେ ଅକ୍ସିଜେନ ଅଭାବ ହେବନି : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ୁଥିବାବେଳେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସ୍ଥିତି ସମୀକ୍ଷା କରିଥିଲେ। ଓମିକ୍ରନ୍ ବୃଦ୍ଧିକୁ ରୋକିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ଟିକାକରଣ ସହ ହସ୍ପିଟାଲ୍ରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଓ ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସେହିପରି ସମସ୍ତ ଆବଶ୍ୟକୀୟ ଔଷଧ ଓ ସରଞ୍ଜାମ ମହଜୁଦ କରିବା ପାଇଁ ରାଜ୍ୟ ଔଷଧ ନିଗମକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍କୁମାର ର୍ଶମା, ଏନ୍ଏଚ୍ଏମ୍ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଔଷଧ ନିଗମ ଏମ୍ଡି ଯାମିନୀ ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଅକ୍ସିଜେନ୍ ଅଭାବ ହେବନି । ଶିଶୁଙ୍କ ପାଇଁ ମୋଟ୍ ୧ ହଜାର ୧୭୯ଟି ବେଡ୍ ପ୍ରସ୍ତୁତ ରହିଛି। ୯୩୭ଟି ଜେନେରାଲ୍ ବେଡ୍, ୨୪୨ଟି ଆଇସିୟୁ ଓ ୧୧୦ଟି ଭେଣ୍ଟିଲେଟର ରହିଛି। ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ପ୍ରଶାସନକୁ କୁହାଯାଇଛି।
