ଆଜି ସୃଷ୍ଟି ହେବ ଲଘୁଚାପ, ୧୪ ପ୍ରବଳ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ରହିବ। ଏହା ଅଧିକ ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଏହା ପ୍ରଭାବରେ ୧୨ ଓ ୧୩ତାରିଖରେ ରାଜ୍ୟବ୍ୟାପୀ ଭଲ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହ ମତ୍ସ୍ୟଜୀବୀଙ୍କୁ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
କେନ୍ଦ୍ରର ସୂଚନାନୁଯାୟୀ, ୧୧ ତାରିଖ ଶନିବାର ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ହେବ । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ରବିବାର ଅଧିକାଂଶ ଅଂଚଳରେ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ନୟାଗଡ଼, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହି ୯ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଲଗାଣ ବର୍ଷାରେ ଏସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିବା ସହ ଭୂତଳ ରାସ୍ତା ଜଳମଗ୍ନ ହୋଇପାରେ । ଏହି ବର୍ଷା ଚାଷ ପାଇଁ ଭଲ ହେବ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବାଲେଶ୍ୱର, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୩ ତାରିଖ ସୋମବାର ଅଧିକାଂଶ ସ୍ଥାନରେ ବର୍ଷା ଢାଳିବ । ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ଼, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏମିତିକି କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ସତର୍କତା ପଦକ୍ଷେପ ନେବାକୁ କୁହାଯାଇଛି । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ସୋମବାର । ଅନ୍ୟପକ୍ଷରେ ୧୪ ତାରିଖ ମଙ୍ଗଳବାର ବର୍ଷା ପ୍ରକୋପ ସାମାନ୍ୟ କମିବ । ତଥାପି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଗତ ଲଘୁଚାପ ବର୍ଷା ପରେ କେତେକ ଜିଲ୍ଲାରେ ବର୍ଷା ଅଭାବଜନିତ ସ୍ଥିତି ଦୂର ହୋଇଛି । ସମ୍ଭାବ୍ୟ ଲଘୁଚାପ ବର୍ଷା ପରେ ପୁଣି ୧୮ ତାରିଖବେଳକୁ ଆଉ ଏକ ଲଘୁଚାପ ହୋଇପାରେ । ତେବେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଅଭାବଜନିତ ସ୍ଥିତି ଗୁରୁତର ଥିବାରୁ ଚାଷ କାର୍ଯ୍ୟ ବହୁ ବିଳମ୍ବିତ ହୋଇଛି । ଏବେ ବି ରାଜ୍ୟରେ ୨୭% କମ୍ ବର୍ଷିଛି ମୌସୁମୀ ।
