ତୃତୀୟ ଲହର ଆଶଙ୍କା : ସେପ୍ଟେମ୍ବରରେ ସମ୍ପୂର୍ଣ୍ଣ କୋହଳ ହେବନି କଟକଣା
ଭୁବନେଶ୍ୱର : ଅଗଷ୍ଟ ମାସ ସରି ଆସୁଛି । ତେଣୁ ଏବେ ଠାରୁ ଲୋକଙ୍କ ମନରେ ଆସନ୍ତା ସେପ୍ଟେମ୍ବର ମାସରେ କଣ ହେବ ଗାଇଡଲାଇନ । ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସୁଥିବାରୁ ପରିସ୍ଥିତିକୁ ଦେଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ସେପ୍ଟେମ୍ବରରେ କଣ ରହିବ ନୂଆ ଗାଇଡଲାଇନ ସେନେଇ ତଥ୍ୟ ସଂଗ୍ରହ ଚାଲିଛି । କେନ୍ଦ୍ର ସରକାରଙ୍କ ନୀତି, ଡବ୍ଲୁଏଚଓ ଫର୍ମୁଲା, ସଂକ୍ରମଣ ହାର, ବିଶେଷଜ୍ଞଙ୍କ ମତ ଓ ଲୋକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ନୂଆଗାଇଡ୍ ଲାଇନ ପ୍ରସ୍ତୁତ କରାଯିବ । କେତେକ ସ୍ଥାନରୁ ସପ୍ତାହାନ୍ତ ସଟଡାଉନ୍ ହଟିଯିବା ସମ୍ଭାବନା ରହିଛି । ସକାଳ ୬ରୁ ରାତି ୧୦ଟା ଯାଏଁ ଦୋକାନ ଖୋଲିବାକୁ ମିଳିପାରେ ଅନୁମତି । ସେହିପରି ନାଇଟ୍ କର୍ଫ୍ୟୁ ଅବଧି କମିପାରେ । ତୃତୀୟ ଲହରରେ ଓଡ଼ିଶା ଉପରେ ଅଧିକ ପ୍ରଭାବନ ପଡିବ ନାହିଁ । କାନପୁର ଆଇଆଇଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ରିପୋର୍ଟ ଦେଇଛି । ଯଦି ଭୂତାଣୁ ରୂପ ବଦଳାଏ ତେବେ ତୃତୀୟ ଲହରର ଅଧିକ ପ୍ରଭାବଶାଳୀ ହେବ । ବିଶେଷଜ୍ଞଙ୍କ କହିବା ମୁତବାକ ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବ । ଦେଶରେ ଦୈନିକ ୪ରୁ ୫ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ଆଗୁଆ ମୁକାବିଲା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ମତେ ସେପ୍ଟେମ୍ବରରେ କୋଭିଡ୍ ଗାଇଡଲାଇନକୁ ସମ୍ପୂର୍ଣ୍ଣ କୋହଳ କରିବା ସପକ୍ଷରେ ରାଜ୍ୟ ସରକାର ନାହାନ୍ତି ବୋଲି କହିଛନ୍ତି। ସେପ୍ଟେମ୍ବର ଗାଇଡ଼ଲାଇନ ପାଇଁ ଏବେ ଡାଟା ସଂଗ୍ରହ ଚାଲିଛି। ବିଶେଷଜ୍ଞମାନଙ୍କ ମତ ଓ ସର୍ଭେଲାନ୍ସ ଆଦି ସହ ବିଭିନ୍ନ ଦିଗକୁ ନେଇ ଡାଟା ସଂଗ୍ରହ କରାଯାଉଛି। କାନପୁର ଆଇଆଇଟି ସର୍ଭେକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରିପୋର୍ଟ ଅନୁସାରେ ଜୁଲାଇ ସୁଦ୍ଧା ୬ଶହ ତଳେ ସଂକ୍ରମଣ ରହିନି। ଏବେବି ରାଜ୍ୟରେ ସଂକ୍ରମଣ ହାର ୬ଶହ ଉପରେ ରହିଛି। ଏସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ କାରି କରାଯିବ ବୋଲି କହିଛନ୍ତି।
ସେହିପରି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କାନପୁର ଆଇଆଇଟି ସର୍ଭେ କହୁଛି ଯେ, ଓଡ଼ିଶାରେ ତୃତୀୟ ଲହର ବେଶୀ ପ୍ରଭାବ ପକାଇବ ନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କିଛି ମଡେଲ କହୁଛନ୍ତି ଦିନକୁ ୪ରୁ ୫ଲକ୍ଷ ସଂକ୍ରମଣ ହେବ । ଆଉ କେତେକ ମଡେଲ କହୁଛନ୍ତି ତୃତୀୟ ଲହର ଏତେ ପ୍ରଭାବ ପକାଇବ ନାହିଁ । କିନ୍ତୁ ମଡେଲ ଯାହା କହୁ ସରକାର ସବୁଦିଗରୁ ପଦକ୍ଷେପ ନେଉଛନ୍ତି। ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳିଆ ହୋଇନପାରେ। ଯଦି ଭାଇରସ ରୂପ ବଦଳାଏ ତା’ହେଲେ ପ୍ରଭାବ ଅଧିକ ରହିବ। ଯଦି ବର୍ତ୍ତମାନ ସ୍ୱରୂପରେ ରହେ, ତା’ହେଲେ ଏହା ବେଶୀ ପ୍ରଭାବ ପକାଇବ ନାହିଁ। କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ୨୭ତାରିଖରୁ ଇକମୋ ଚିକିତ୍ସା ଆରମ୍ଭ ହେବ। ଏସିବିରେ ମୋଟ ୯ଟି ଇକମୋ ମେସିନ୍ ରହିଛି, ଯାହାକି ପୂର୍ବ ଭାରତରେ ସବୁଠୁ ବଡ଼ ୟୁନିଟ୍ ହେବ ବୋଲି ସେ କହିଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳଙ୍କୁ ଏକ ଚିଠି ଜାରି କରି ଦ୍ୱିତୀୟ ପର୍ଯ୍ୟାୟ ଜରୁରୀକାଳୀନ କୋଭିଡ୍ ରେସପନ୍ସ ପ୍ଲାନକୁ ସରକାର ଅନୁମୋଦନ ଦେଇଥିବା ସମ୍ପର୍କରେ ଅବଗତ କରିଛନ୍ତି। ଏହି ପ୍ଲାନକୁ ଅତିବେଶୀରେ ୨୦୨୧ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ ମଧ୍ୟ ସେ କହିଛନ୍ତି । କରୋନାର ଚିକିତ୍ସା ପାଇଁ ଆରଟିପିସିଆର ପରୀକ୍ଷା ନିମନ୍ତେ ଟେଷ୍ଟିଂ କିଟ୍ ଓ ମେସିନ୍ , କରୋନାର ୮ଟି ଜରୁରୀ ଔଷଧ, ୨୦ରୁ ୩୦ ବେଡ୍ ବିଶିଷ୍ଟ ଶିଶୁ ୟୁନିଟରେ ଅକ୍ସିଜେନ୍ ୱାର୍ଡ ଓ ୧୨ଟି ହାଇବ୍ରିଡ୍ ଆଇସିୟୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ୨୦ବେଡ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ଟି ଲେଖାଏଁ ବେଡ୍ ସ୍ଥାପନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧିଷ୍ଟ ଭାବେ ଜିଲ୍ଲା,ଗୋଷ୍ଠୀ ଅବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ ବେଡ୍ର ବ୍ୟବସ୍ଥା, ୨୯୯ଟି ଅଧିକ ଆମ୍ବୁଲାନ୍ସ, ଶେଷବର୍ଷ ଡାକ୍ତରୀ ଓ ନର୍ସିଂ ଛାତ୍ରୀମାନଙ୍କ ଦ୍ୱାରା ଚିକିତ୍ସା ସେବା ପ୍ରଦାନ ଏବଂ ଏହି ଜରୁରୀକାଳୀନ କୋଭିଡ୍ ରେସପନ୍ସ ପ୍ଲାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ୨ଜଣ ଲେଖାଏ ଡାକ୍ତରଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।
