ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର! ରିପୋର୍ଟ କାର୍ଡ଼ ମାଗିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ ବର୍ଷ ପୁରିବ । ଅନେକମନ୍ତ୍ରୀ ବିବାଦ ଘେରକୁ ଆସିଲେ ମଧ୍ୟ ସେମାନଙ୍କର ପଦବି ଆଜିପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ପୂର୍ବ ଦୁଇ ତିନି ବର୍ଷରେ ନବୀନ ମନ୍ତ୍ରିମଣ୍ଡଳ ଅବଳବଦଳ କରିବାର ନଜିର ଥିବାରୁ ଖୁବ୍ଶୀଘ୍ର ଏହି ଅଦଳବଦଳ ହେବ ବୋଲି ଚର୍ଚ୍ଚା ହୋଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ଼ ମାଗିଛନ୍ତି । ଫଳରେ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ଼ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ । ତେଣୁ ଏବେ ଏହି ସମାନ ତରିକା ଆପଣାଇବେ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡ଼ରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ବିସ୍ତୃତ ରିପୋର୍ଟ ଦେବେ । ଏପରିକି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ କଣ କରି ଡାକି ଆଲୋଚନା କରିବେ ବୋଲି କୁହାଯାଇଛି । ଆଉ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଶେଷ ହୋଇଥିବାରୁ ଦଳ ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍ କରୁଛି । ତେଣୁ ଦଳର ସଂଗଠନ ଯେଉଁ ସବୁ ଜିଲ୍ଲାରେ ଦୁର୍ବଳ ଅଛି ସେଠାରେ ଭଲ ପ୍ରଦର୍ଶନ କରିବାକୁ ଦଳର ଯୁବ ଓ ଦକ୍ଷ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯିବ । ଏଥିପାଇଁ ଦଳ କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇପାରେ । ଏହାବାଦ ଆଦୌ ଭଲ ପ୍ରଦର୍ଶନ ନ ଥିବା ମନ୍ତ୍ରୀମାନଙ୍କୁ ବି ବିଦା କରାଯିବ । ଯେଉଁ ଦଳର ସ୍ଥିତି ଅପେକ୍ଷାକୃତ ଭଲ ନାହିଁ । ଉକ୍ତ ଅଂଚଳର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୭ ପଂଚାୟତ ନିର୍ବାଚନ ପରେ ପରେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇଥିଲା । ସେ ସମାନ କୌଶଳ ଏବେ ପୁଣି ଲାଗୁ ହେବ ବୋଲି କୁହାଯାଉଛି । ୨୦୧୯ରେ ବିଜେଡିର ଏହି କୌଶଳ ସପଳ ହୋଇଥିଲା, ଆଉ ବିଜେଡି ୧୦୦ରୁ ଅଧିକ ସିଟ୍ ଦଖଲ କରିଥିଲା । ହେଲେ ୨୦୧୯ରେ ୨୦୧୨ ଭଳି ଏକତରଫା ସାଂସଦ ସିଟ୍ ହାସଲ କରିବାରେ ବିଫଳ ହୋଇଥିବା ବିଜେଡି ଏଥର ବିଧାୟକ ସହ ଅଧିକ ସାଂସଦ ଜିତିବାକୁ ଏବେଠୁ ରଣନୀତି ପ୍ରସ୍ତୁତି କରିବାକୁ ଯାଉଛି । ଯେଉଁଥିପାଇଁ ପ୍ରତି ଜିଲ୍ଲା, ନିର୍ବାଚନ ମଣ୍ଡଳୀ, ସଂସଦୀୟ କ୍ଷେତ୍ରରେ ଦଳର ଦକ୍ଷ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବ ବୋଲି କୁହାଯାଉଛି ।
